କୃଷି ଓ କୃଷକ ଉନ୍ନତିରେ ରାଜ୍ୟର ଉନ୍ନତି: ମୁଖ୍ୟମନ୍ତ୍ରୀ
ଅକ୍ଷୟ ତୃତୀୟାରେ କଟକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ‘ଅଖିମୁଠି ଅନୁକୂଳ’

କଟକ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ କଟକର ବିଦ୍ୟାଧରପୁରସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଅଖିମୁଠି ଅନୁକୂଳ’ କରି ଚାଷ କାମର ଶୁଭାରମ୍ଭ କରିଥିଲେ।
ମୁଖ୍ୟମନ୍ତ୍ରୀ ନିଜେ ବିଲରେ ବିହନ ବୁଣି କୃଷକମାନଙ୍କୁ ପ୍ରେରଣା ଦେଇଥିବା ବେଳେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଓ ହୋମଯଜ୍ଞରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଏହାସହ ସେ ଯୋଗ୍ୟ କୃଷକମାନଙ୍କୁ ‘ସିଏମ୍ କିଷାନ’ ଯୋଜନାର ଆର୍ଥିକ ସହାୟତା ବଣ୍ଟନ କରିଥିଲେ। ଏହି ଯୋଜନା ମାଧ୍ୟମରେ କୃଷକମାନେ ଚାଷ କାମ ପାଇଁ ଆର୍ଥିକ ସମର୍ଥନ ପାଉଛନ୍ତି।
କାର୍ଯ୍ୟକ୍ରମରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ କୃଷକ ଯୋଗଦେଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ କୃଷକମାନଙ୍କ ସହ ଆଲୋଚନା କରି ତାଙ୍କ ସମସ୍ୟା ଓ ଆବଶ୍ୟକତା ବିଷୟରେ ଅବଗତ ହୋଇଥିଲେ।
ଏହି ଅବସରରେ ମୋହନ ଚରଣ ମାଝୀ କହିଥିଲେ ଯେ, ରାଜ୍ୟ ସରକାର କୃଷକଙ୍କ ଉନ୍ନତି ପାଇଁ ପ୍ରତିବଦ୍ଧ ଓ ଆଗାମୀ ଦିନରେ ଅଧିକ ସହାୟତା ଓ ସୁବିଧା ଯୋଗାଇ ଦିଆଯିବ।



