
ଭୁବନେଶ୍ୱର: ନୌକା ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଓଡ଼ିଶା ପରିବହନ ବିଭାଗ ପୁଣିଥରେ କଠୋର ନିର୍ଦେଶନାମା ଜାରି କରିଛି। ଏହା ଅନୁସାରେ, ନୌକାରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଲାଇଫ୍ ଜାକେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହା ସହିତ ଯାତ୍ରୀବାହୀ ନୌକାରେ କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନକୁ ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି।
ଏହି ନିର୍ଦେଶନାମା ୨୦୧୪ ମସିହାରେ ସମ୍ବଲପୁରରେ ଘଟିଥିବା ମର୍ମନ୍ତୁଦ ନୌକା ଦୁର୍ଘଟଣା ପରେ ପ୍ରଥମେ ଜାରି ହୋଇଥିଲା। କିନ୍ତୁ ସମୟ ସହିତ ଏହାର ଅନୁପାଳନ ଶିଥିଳ ହୋଇପଡ଼ିଥିବା ଅଭିଯୋଗ ଥିଲା। ଦୁଇ ଦିନ ତଳେ ମଧ୍ୟପ୍ରଦେଶର ଜବଲପୁରରେ ଘଟିଥିବା ନୌକା ବୁଡ଼ି ଦୁର୍ଘଟଣା ପରେ ପୁଣିଥରେ ଓଡ଼ିଶା ସରକାର ସଚେତନ ହୋଇ ନିୟମଗୁଡ଼ିକୁ କଠୋର ଭାବେ ଲାଗୁ କରିବାକୁ ଜୋର ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ମାରିଟାଇମ୍ ବୋର୍ଡ, ପର୍ଯ୍ୟଟନ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅଧିକାରୀମାନଙ୍କୁ ନେଇ ସ୍ଥିତିର ସମୀକ୍ଷା କରାଯାଇଛି। ନିୟମ ଠିକ୍ ଭାବେ ପାଳନ ହେଉଛି କି ନାହିଁ, ସେଥିପାଇଁ ନିୟମିତ ଯାଞ୍ଚ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।
ନୌକାରେ ଚଢ଼ିବା ସହିତ ସମସ୍ତ ଯାତ୍ରୀଙ୍କୁ ଲାଇଫ୍ ଜାକେଟ୍ ପିନ୍ଧାଇବା ନୌକା ଚାଳକଙ୍କ ଦାୟିତ୍ୱ ହେବ। ପ୍ରତ୍ୟେକ ନୌକାରେ ଯାତ୍ରୀ ସଂଖ୍ୟା ଅନୁସାରେ ପର୍ଯ୍ୟାପ୍ତ ଲାଇଫ୍ ଜାକେଟ୍ ରଖିବା ସହିତ ଜୀବନରକ୍ଷକ ଉପକରଣ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି କୁହାଯାଇଛି।
ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ଅନୁସାରେ ସରକାରୀ ନୌକାଗୁଡ଼ିକୁ ମାଗଣାରେ ଏବଂ ବେସରକାରୀ ନୌକାକୁ ୯୫ ପ୍ରତିଶତ ରିଆତିରେ ଲାଇଫ୍ ଜାକେଟ୍ ଓ ଅଗ୍ନିନିର୍ବାପକ ଯୋଗାଇ ଦିଆଯାଉଛି। ଏହା ସତ୍ତ୍ୱେ ଅନେକ ସ୍ଥାନରେ ନିୟମ ମାନାଯାଉନଥିବା ଦେଖିବାକୁ ମିଳୁଛି।
ସମ୍ବଲପୁର, ଝାରସୁଗୁଡ଼ା ଭଳି ଅଞ୍ଚଳରେ ପୂର୍ବରୁ ଅନେକ ନୌକା ଦୁର୍ଘଟଣାରେ ଅନେକ ଜୀବନ ନଷ୍ଟ ହୋଇଥିବା ବେଳେ, ପ୍ରତ୍ୟେକ ଦୁର୍ଘଟଣା ପରେ ମାତ୍ର ପ୍ରଶାସନ ସଚେତନ ହେଉଥିବା ଆରୋପ ଉଠୁଛି। ଜବଲପୁର ଘଟଣା ପରେ ଜାରି ହୋଇଥିବା ଏହି ନୂତନ କଠୋର ନିର୍ଦେଶ ଆଗାମୀ ଦିନରେ କେତେଦୂର କାର୍ଯ୍ୟକରୀ ହେବ, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।


