
ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗ ସମ୍ବନ୍ଧୀୟ ମାମଲାରେ ନର୍ଲା ବିଜେଡ଼ି ବିଧାୟିକା ମନୋରମା ମହାନ୍ତିଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ମାନ୍ୟବର ହାଇକୋର୍ଟ ତାଙ୍କୁ ଛଅ ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ନର୍ଲା ବ୍ଲକ୍ର ସଭାପତି ଥିବା ଦୁର୍ଗା ପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ଫୋନ୍ ଯୋଗେ ଧମକ ଦେଇଥିବା କୁହାଯାଇଛି। ଏନେଇ ଗତ ମାର୍ଚ୍ଚ ୧୫ ତାରିଖରେ ତହସିଲଦାର କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ।
ଘଟଣା ପରେ ଦୁର୍ଗା ପ୍ରସାଦ ଲୋକଦୃଷ୍ଟିରୁ ଅଲୋପ ଥିବାବେଳେ, ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟର ଶରଣାପନ୍ନ ହୋଇଥିଲେ। ଆବେଦନର ଶୁଣାଣି ପରେ କୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିବା ସୂଚନା ମିଳିଛି।
ଏହି ଆଦେଶ ଅନୁଯାୟୀ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେ ଆଇନ ପ୍ରକ୍ରିୟାକୁ ସହଯୋଗ କରିବାକୁ ପଡିବ ବୋଲି କୁହାଯାଇଛି।


