ଦୁର୍ଘଟଣାମୁଖ୍ୟ ଖବର

ଟିଟିଲାଗଡ଼ ଦୁର୍ଘଟଣା: ମୃତ ୩ ଶିଶୁଙ୍କ ପରିବାରକୁ ୪ ଲକ୍ଷ ସହାୟତା

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଅଞ୍ଚଳରେ ଘଟିଥିବା ହୃଦୟବିଦାରକ ସଡ଼କ ଦୁର୍ଘଟଣା ପରେ ରାଜ୍ୟ ସରକାର ପକ୍ଷରୁ ମୃତ ୩ ଜଣ ଶିଶୁଙ୍କ ପରିବାର ପାଇଁ ସହାୟତା ଘୋଷଣା କରାଯାଇଛି। ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା କରି ଆର୍ଥିକ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଯୋଗାଣ କରାଯିବ।

ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଥିବା ସହ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି, ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି। ଏହି ଘଟଣା ସମ୍ପୂର୍ଣ୍ଣ ରାଜ୍ୟକୁ ମନୋବିଷାଦରେ ଫେଳାଇଦେଇଛି।

ସୂଚନାନୁଯାୟୀ, ଟିଟିଲାଗଡ଼ ଥାନା ଅଧୀନ ଲେସୁନବାହାଲି ଗାଁରୁ ଏକ ପରିବାର ବିବାହ ଅନୁଷ୍ଠାନରୁ ଫେରୁଥିଲେ। ସେମାନେ ପିକଅପ ଭ୍ୟାନରେ ଯାତ୍ରା କରୁଥିବା ବେଳେ ମାରଲାଡ଼ ଗ୍ରାମ ନିକଟରେ ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ଘଟିଥିଲା। ଧକ୍କା ଏତେ ଭୟାବହ ଥିଲା ଯେ ଗାଡ଼ିରେ ଥିବା ଶିଶୁମାନେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କ ମଧ୍ୟରୁ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ପିକଅପ ଗାଡ଼ିରେ ମୋଟ ୬ ଜଣ ଯାତ୍ରୀ ଥିଲେ। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ତୁରନ୍ତ ଉଦ୍ଧାର କରାଯାଇଥିଲେ। ପ୍ରଥମେ ସେମାନଙ୍କୁ ଟିଟିଲାଗଡ଼ ହସ୍ପିଟାଲକୁ ନେଇଯାଇଥିଲା, ପରେ ଅବସ୍ଥା ଗୁରୁତର ହେତୁ ବଲାଙ୍ଗୀରର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାରେ ଜଡିତ ଗାଡ଼ିଗୁଡ଼ିକୁ ଜବତ କରାଯାଇଥିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣାର ପ୍ରକୃତ କାରଣ କଣ ଥିଲା, ତାହା ନେଇ ପୋଲିସ ତଦନ୍ତ କରୁଛି।

ଏହି ଦୁର୍ଘଟଣା ଅଞ୍ଚଳରେ ଗଭୀର ଶୋକର ପରିବେଶ ସୃଷ୍ଟି କରିଛି। ନିର୍ଦୋଷ ଶିଶୁମାନଙ୍କ ଏପରି ଅକାଳ ମୃତ୍ୟୁ ସମସ୍ତଙ୍କୁ ଆଘାତ ଦେଇଛି ଏବଂ ସ୍ଥାନୀୟ ଲୋକମାନେ ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି।

Show More

Related Articles

Back to top button