ଓଡ଼ିଶାମୁଖ୍ୟ ଖବର

କେନ୍ଦୁଝର ‘କଙ୍କାଳ ବିବାଦ’ ପରେ ପରିବାରକୁ ୧୯,୪୦୨ ଟଙ୍କା ହସ୍ତାନ୍ତର

କେନ୍ଦୁଝର:ଚର୍ଚ୍ଚିତ ‘କଙ୍କାଳ ବିବାଦ’ ପରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଧିକାରୀମାନେ ମଙ୍ଗଳବାର ଦିଆନାଳି ଗାଁକୁ ଯାଇ ମୃତା ମହିଳାଙ୍କ ଖାତାରୁ ୧୯,୪୦୨ ଟଙ୍କା ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ଆବଶ୍ୟକ ଦଲିଲ ପୂରଣ ପରେ ଗାଁବାସୀ ଓ ସ୍ଥାନୀୟ ପ୍ରତିନିଧିଙ୍କ ସମ୍ମୁଖରେ ଏହି ରାଶି ଦିଆଯାଇଛି।
ସେଥିପାଇଁ ଭାରତୀୟ ରେଡ୍ କ୍ରସ ସମିତି ପକ୍ଷରୁ ଶବଦାହ ପାଇଁ ୨୦,୦୦୦ ଟଙ୍କା ସହାୟତା ଦିଆଯାଇଛି,ଏହାଦ୍ୱାରା ପରିବାରକୁ କିଛି ସହାୟତା ମିଳିଛି।
ଉଲ୍ଲେଖ୍ୟ, ପାଟଣା ବ୍ଲକ୍‌ର ମାଳିପୋସି ଶାଖାରେ ସୋମବାର ଜିତୁ ମୁଣ୍ଡା (୫୦) ନିଜ ଭଉଣୀ କଳାରା ମୁଣ୍ଡାଙ୍କ ଅସ୍ଥି ଉତ୍ଖନନ କରି ବ୍ୟାଙ୍କ ପ୍ରାଙ୍ଗଣରେ ରଖି ଟଙ୍କା ଉଠାଣ ପାଇଁ ଦାବି କରିଥିଲେ।


ଜାଣିବାକୁ ମିଳିଛି ଯେ, କଳାରା ମୁଣ୍ଡା (୫୬) ଗତ ଜାନୁଆରୀ ୨୬ରେ ଅସୁସ୍ଥତାରେ ମୃତ୍ୟୁବରଣ କରିଥିଲେ। ବଳଦ ବିକ୍ରି ରାଶିରୁ ପ୍ରାୟ ୧୯,୪୦୨ ଟଙ୍କା ତାଙ୍କ ଖାତାରେ ଥିଲା। କିନ୍ତୁ ଠିକ୍ ଦଲିଲ ଓ ନୋମିନି ସମ୍ପର୍କରେ ଅସ୍ପଷ୍ଟତା ଥିବାରୁ ଜିତୁ ଏହା ଉଠାଇପାରୁନଥିଲେ।
ଘଟଣା ଗୁରୁତର ରୂପ ନେବା ପରେ ପୋଲିସ ପହଞ୍ଚି ତାଙ୍କୁ ବୁଝାଇଥିଲେ ଏବଂ ପରେ ଅସ୍ଥିକୁ ପୁନଃ ସମାଧି ଦିଆଯାଇଥିଲା।
ପରେ ଜିଲ୍ଲା ପ୍ରଶାସନ ତଦନ୍ତରେ ଜଣାପଡ଼ିଥିଲା ଯେ ମୃତାଙ୍କ ତିନିଜଣ ଆଇନଗତ ଉତ୍ତରାଧିକାରୀ ଅଛନ୍ତି ଏବଂ ଖାତାର ନୋମିନି ପୂର୍ବରୁ ମୃତ୍ୟୁବରଣ କରିଛନ୍ତି। ଅଜ୍ଞାନତା, ଅଶିକ୍ଷା ଓ ପରିବାରିକ ବିବାଦ ଏହି ଘଟଣାର ମୂଳ କାରଣ ବୋଲି ଅଧିକାରୀମାନେ କହିଛନ୍ତି।
ତତ୍କ୍ଷଣାତ୍ ମୃତ୍ୟୁ ସର୍ଟିଫିକେଟ୍ ଓ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଯୋଗାଇ ଦେଇ ବ୍ୟାଙ୍କ ପକ୍ଷରୁ ଟଙ୍କା ହସ୍ତାନ୍ତର କରାଯାଇଛି।
ଘଟଣାକୁ ନେଇ ରାଜନୈତିକ ମଞ୍ଚରେ ମଧ୍ୟ ପ୍ରତିକ୍ରିୟା ଦେଖାଦେଇଛି। ରେଭେନ୍ୟୁ ମନ୍ତ୍ରୀ ସୁରେଶ ପୂଜାରୀ ଏହାକୁ “ମାନବିକତାର ଅଭାବ” ବୋଲି କହିଥିବାବେଳେ ବିରୋଧୀ ଦଳମାନେ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି।
ଏହି ଘଟଣା ପରେ ପ୍ରଶାସନିକ ପ୍ରକ୍ରିୟାର କଠୋରତା, ଆର୍ଥିକ ସଚେତନତାର ଅଭାବ ଓ ସରକାରୀ ସେବାରେ ସମ୍ବେଦନଶୀଳତା ନେଇ ଚର୍ଚ୍ଚା ବଢ଼ିଛି।

Show More

Related Articles

Back to top button