ଓଡ଼ିଶାମୁଖ୍ୟ ଖବର

ଆଜି ୧୯ ଜିଲ୍ଲାରେ ଘଡଘଡି ସହ ବର୍ଷା !

ଆସନ୍ତା ୧୩ରୁ ପ୍ରବଳ ଛେଚିବ

ସୋମବାର ରାଜ୍ୟର ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୭ ତାରିଖରୁ ବର୍ଷା ବଢ଼ିବ । ସେହିପରି ୧୨ରେ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଯାହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୩ରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗବିତ୍‌ ଆକଳନ କରିଛନ୍ତି ।ସମୁଦ୍ର ପତ୍ତନରୁ ୧.୫ କିମି ଉପରେ ଏକ ଟ୍ରପ୍‌ ଲାଇନ୍‌ ଯାଇଛି । ଯାହା ଉତ୍ତର-ପୂର୍ବ ବିହାରରୁ ଦକ୍ଷିଣ ଓଡିଶା ଉପକୂଳ ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିଛି । ଆସନ୍ତାକାଲି ମଧ୍ୟ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କନ୍ଧମାଳ, ଢ଼େଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗବିତ୍‌ ଉମାଶଙ୍କର ଦାସ ପୂର୍ବାନୁମାନ କରିଛନ୍ତି । ତେବେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି ।

ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ସୋମବାର ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ୧୨ରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ବର୍ଷା ବଢ଼ିବ ବୋଲି ସେ ଆକଳନ କରିଛନ୍ତି । ତେବେ ଜୁନ୍‌ ୧ ତାରିଖରୁ ଜୁଲାଇ ୪ ତାରିଖ ସୁଦ୍ଧା ରାଜ୍ୟରେ ୨୦୯.୩୩ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକ ୨୫୩.୧ ମିଲିମିଟରୁ ୧୮ ପ୍ରତିଶତ କମ୍‌ ରହିଛି ।ରବିବାର ସକାଳ ୮ଟା୩୦ରୁ ସନ୍ଧ୍ୟା ୫ଟା୩୦ ମଧ୍ୟରେ ଟିଟିଲାଗଡ଼ରେ ୫୪ ମିଲିମିଟର ବର୍ଷା ହୋଇଥିବା ବେଳେ ଛତ୍ରପୁରରେ ୩୩ ମିଲିମିଟର, କୋରାପୁଟ ଓ ଅନୁଗୁଳରେ ୨୪ ମିଲିମିଟର, ବଲାଙ୍ଗୀରରେ ୧୮ ମିଲିମିଟର, ସମ୍ବଲପୁରରେ ୧୪ ଓ ଚାନ୍ଦବାଲିରେ ୧୩ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।ସେହିପରି ଗତ ୨୪ ଘଣ୍ଟାମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ସର୍ବାଧିକ ୫୧ ମିଲିମିଟର ବର୍ଷା ହୋଇଥିବା ବେଳେ ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ୩୪ ମିଲିମିଟର, ଝାରସୁଗୁଡ଼ା ଜିଲ୍ଲା ଲାଇକେରାରେ ୨୯ ମିଲିମିଟର, କିରମରାରେ ୨୮ ମିଲିମିଟର ଓ ମୟୂରଭଞ୍ଜ ଜିଲ୍ଲା ବାଲିମୁଣ୍ଡଳିରେ ୨୪ ମିଲିମିଟର ବର୍ଷା ହୋଇଥିବା କେନ୍ଦ୍ର ରେକର୍ଡ କରିଛି ।

Show More

Related Articles

Back to top button