ତାମିଲନାଡୁରେ ଆଜି ଟିଭିକେ ସରକାରର ଶପଥଗ୍ରହଣ, ମୁଖ୍ୟମନ୍ତ୍ରୀ ହେବେ ବିଜୟ

ଚେନ୍ନାଇ: ତାମିଲନାଡୁରେ ପାଞ୍ଚ ଦିନ ଧରି ଚାଲିଥିବା ରାଜନୈତିକ ଅନିଶ୍ଚିତତାର ଶେଷ ହୋଇଛି। ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ମୁଖ୍ୟ ସି. ଜୋସେଫ ବିଜୟ ଶେଷରେ ସରକାର ଗଠନ ପାଇଁ ଆବଶ୍ୟକ ବହୁମତ ହାସଲ କରିଛନ୍ତି। ଭିସିକେ ଓ ଆଇୟୁଏମଏଲ ସମର୍ଥନ ଘୋଷଣା କରିବା ପରେ ଟିଭିକେ ମେଣ୍ଟର ସଂଖ୍ୟା ୧୨୦ରେ ପହଞ୍ଚିଛି, ଯାହା ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବହୁମତ ସୀମା ୧୧୮ଠାରୁ ଅଧିକ।
ଶନିବାର ବିଜୟ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ୧୨୦ ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କରିଥିଲେ। ଏହାପରେ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ଆଜି ସକାଳ ସାଢ଼େ ୧୦ଟାରେ ଚେନ୍ନାଇର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ବିଜୟ ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି।
୨୦୨୬ ବିଧାନସଭା ନିର୍ବାଚନରେ ଟିଭିକେ ୧୦୮ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ପରେ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ଭିସିକେ ଓ ଆଇୟୁଏମଏଲର ସମର୍ଥନ ସହ ବିଜୟଙ୍କ ପାଇଁ ସରକାର ଗଠନର ପଥ ସ୍ପଷ୍ଟ ହୋଇଥିଲା।



