ତାମିଲନାଡୁରେ ଟିଭିକେ ସରକାର ଗଠନ; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥାଲାପତି ବିଜୟ

ଚେନ୍ନାଇ: ତାମିଲନାଡୁର ରାଜନୀତିରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି। ତାମିଲଗା ଭେଟ୍ରି କାଝାଗମ୍ (ଟିଭିକେ) ମୁଖ୍ୟ ସି. ଜୋସେଫ ବିଜୟ ରବିବାର ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚେନ୍ନାଇସ୍ଥିତ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ଭବ୍ୟ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ବିଜୟଙ୍କ ସହ ଟିଭିକେର ୯ ଜଣ ବରିଷ୍ଠ ନେତା ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ବିଜୟ ତୁରନ୍ତ ତିନିଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ କରିଥିଲେ। ଏଥିରେ ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଣ, ନିଶା କାରବାର ନିୟନ୍ତ୍ରଣ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର ବଳ ଗଠନ ଓ ମହିଳା ସୁରକ୍ଷା ପାଇଁ ସ୍ପେଶାଲ୍ ଟାସ୍କ ଫୋର୍ସ ଗଠନ ଅନ୍ତର୍ଭୁକ୍ତ ଅଛି।
ଗତ କିଛି ଦିନ ଧରି ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୈତିକ ଅନିଶ୍ଚିତତା ଲାଗି ରହିଥିଲା। ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଟିଭିକେ ୧୦୮ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ପରେ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ଭିସିକେ ଓ ଆଇୟୁଏମଏଲର ସମର୍ଥନ ପାଇ ଟିଭିକେ ମେଣ୍ଟ ୧୨୦ ବିଧାୟକଙ୍କ ସମର୍ଥନ ହାସଲ କରିଥିଲା।
ଏହା ପରେ ବିଜୟ ରାଜ୍ୟପାଳଙ୍କୁ ସମର୍ଥନ ପତ୍ର ଦାଖଲ କରି ସରକାର ଗଠନର ଦାବି କରିଥିଲେ। ରାଜ୍ୟପାଳ ତାଙ୍କୁ ମେ’ ୧୩ ସୁଦ୍ଧା ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।



