Breaking PLUSଓଡ଼ିଶାମୁଖ୍ୟ ଖବର

୭୫ ଲକ୍ଷ ଟଙ୍କା ଅର୍ଥ ଆତ୍ମସାତ୍ ମାମଲାରେ ସମବାୟ ସମିତିର ଏମ୍‌ଡି ଗିରଫ

ଭୁବନେଶ୍ୱର, 22 ମଇ –  ବିପୁଳ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗରେ  ଭିଜିଲାନ୍ସ ବିଭାଗ  ପକ୍ଷରୁ ରାୟଗଡ଼ା ଜିଲ୍ଲା କେ.ସିଂହପୁର ଲାର୍ଜ ଏରିଆ ମଲ୍ଟି ପର୍ପୋଜ୍ କୋ-ଅପରେଟିଭ୍ ସୋସାଇଟି  ର ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ ଗିରଫ କରାଯାଇଛି।

ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା  ସୂଚନା ଅନୁସାରେ ତାଙ୍କ ବିରୋଧରେ ପ୍ରାୟ ୭୫ ଲକ୍ଷ ଟଙ୍କା ସମିତି ତହବିଲ ଆତ୍ମସାତ୍ କରିବାର ଅଭିଯୋଗ ରହିଛି।

ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ବ୍ୟାପକ ଦଲିଲ ଯାଞ୍ଚରେ ଜଣାପଡ଼ିଛି ଯେ, ୨୦୨୪ ରୁ ୨୦୨୬ ମଧ୍ୟରେ ଏହି ଦୁର୍ନୀତି ଘଟିଥିଲା। ଅଭିଯୁକ୍ତ ତାରିଣୀ ପ୍ରସାଦ ତ୍ରିପାଠୀ ସରକାରୀ ରେକର୍ଡରେ କୌଶଳପୂର୍ଣ୍ଣ ହେରଫେର କରି ଏହି ଅର୍ଥ ଆତ୍ମସାତ୍ କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି।

ତଦନ୍ତରେ ଆହୁରି ଜଣାପଡ଼ିଛି ଯେ, ଆତ୍ମସାତ୍ ହୋଇଥିବା ୭୫ ଲକ୍ଷ ଟଙ୍କା ସମିତିର ପ୍ରାଥମିକ ସଦସ୍ୟମାନଙ୍କ ସଞ୍ଚୟ ଓ ଜମାରାଶି ଥିଲା। ଏହା ଫଳରେ ସମିତି ଉପରେ ନିର୍ଭରଶୀଳ ସ୍ଥାନୀୟ ଲୋକମାନଙ୍କ ଆର୍ଥିକ ସୁରକ୍ଷା ପ୍ରଭାବିତ ହୋଇଛି।

ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା  ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ ଆଇନ, ୨୦୧୮ ଓ ଭାରତୀୟ ନ୍ୟାୟ ସଂହିତା  , ୨୦୨୩ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଆଜି କୋର୍ଟକୁ ପ୍ରେରଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Show More

Related Articles

Back to top button