
କୋଲକାତା: ପଶ୍ଚିମବଙ୍ଗରେ ବିଜେପିର ବିଜୟ ଏକ ଐତିହାସିକ ପରିବର୍ତ୍ତନର ସୂଚକ ବୋଲି କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି ବିଧାୟକ ଦଳ ନେତା ଚୟନ ଅବସରରେ ସହ-ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ସେ କହିଛନ୍ତି, ଏହି ଜନାଦେଶ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସମ୍ପର୍କକୁ ଆହୁରି ଦୃଢ଼ କରିବ।
ମୁଖ୍ୟମନ୍ତ୍ରୀ ନବନିର୍ବାଚିତ ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ସମସ୍ତ ବିଜୟୀ ବିଧାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ଦୀର୍ଘ ବର୍ଷ ପରେ ପଶ୍ଚିମବଙ୍ଗରେ ଜନତା ବିକାଶ, ସୁଶାସନ ଓ ପରିବର୍ତ୍ତନ ପକ୍ଷରେ ମତ ଦେଇ ନୂଆ ଇତିହାସ ରଚିଛନ୍ତି।
ମୋହନ ମାଝୀ କହିଥିଲେ, ଓଡ଼ିଶା ଓ ପଶ୍ଚିମବଙ୍ଗର ସମ୍ପର୍କ କେବଳ ଭୌଗୋଳିକ ନୁହେଁ, ବରଂ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବେ ମଧ୍ୟ ଅତ୍ୟନ୍ତ ଗଭୀର। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଦୁଇ ରାଜ୍ୟର ଲୋକଙ୍କର ଅଗାଢ଼ ଆସ୍ଥା ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିଆସିଛି। ନୂତନ ରାଜନୈତିକ ପରିବର୍ତ୍ତନ ଦୁଇ ରାଜ୍ୟର ଉନ୍ନତି ଓ ସହଯୋଗରେ ନୂଆ ଦିଗ ଖୋଲିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ସେ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ପରିକଳ୍ପନାରେ ପୂର୍ବ ଭାରତର ଭୂମିକା ଅତ୍ୟନ୍ତ ଗୁରୁତ୍ୱବହ। ପଶ୍ଚିମବଙ୍ଗର ଏହି ଜନାଦେଶ ସେହି ଲକ୍ଷ୍ୟ ପୂରଣରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ।



