ଓଡ଼ିଶାଦୁର୍ଘଟଣା

ପାଣିକୋଇଲି ଜାତୀୟ ରାଜପଥରେ ଜଳିଗଲା ମୋରମ ବୋଝେଇ ହାଇୱା

ଯାଜପୁର: ପାଣିକୋଇଲି ଜାତୀୟ ରାଜପଥରେ ମଙ୍ଗଳବାର ସକାଳେ ଏକ ମୋରମ ବୋଝେଇ ହାଇୱାରେ ଭୟାବହ ଅଗ୍ନିକାଣ୍ଡ ଘଟି ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। ଟାୟାର ଫାଟିଯିବା ପରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ହାଇୱାଟି ଚଣ୍ଡିଖୋଲରୁ ଭଦ୍ରକ ଅଭିମୁଖେ ଯାଉଥିବାବେଳେ ପାଣିକୋଇଲି ନିକଟରେ ହଠାତ୍ ଟାୟାର ଫାଟିଯାଇଥିଲା। ପରେ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଗାଡ଼ିରୁ ଧୂଆଁ ଓ ନିଆଁ ବାହାରୁଥିବା ଦେଖି ଚାଳକ ତୁରନ୍ତ ଗାଡ଼ିରୁ ଓହ୍ଲାଇ ପଡ଼ିଥିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ଘଟଣା ପରେ ସ୍ଥାନୀୟ ଲୋକେ ଯାଜପୁର ରୋଡ଼ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ନିୟନ୍ତ୍ରଣ କରିଥିଲେ।

ଅଗ୍ନିକାଣ୍ଡ ଯୋଗୁଁ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ବେଳେ ପାଣିକୋଇଲି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button