ଉଚ୍ଚ ଆୟକାରୀଙ୍କ ପାଇଁ ଏଲପିଜି ସବସିଡି ବନ୍ଦ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ବିଶ୍ୱବ୍ୟାପୀ ଶକ୍ତି ସଙ୍କଟ ଓ ଇନ୍ଧନ ମୂଲ୍ୟ ବୃଦ୍ଧି ମଧ୍ୟରେ କେନ୍ଦ୍ର ସରକାର ଘରୋଇ ଗ୍ୟାସ (ଏଲପିଜି) ସବସିଡିକୁ ନେଇ ଏକ ବଡ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନୂଆ ନିୟମ ଅନୁଯାୟୀ, ବର୍ଷକୁ ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ଆୟ ଥିବା ଗ୍ରାହକମାନେ ଆଉ ଏଲପିଜି ସବସିଡି ପାଇବେ ନାହିଁ। ଏହା ମାଧ୍ୟମରେ ସରକାର ଅସହାୟ ଓ ପ୍ରକୃତ ହିତାଧିକାରୀଙ୍କୁ ଅଧିକ ସହାୟତା ପ୍ରଦାନ କରିବା ସହ ଦେଶର ଶକ୍ତି ସମ୍ପଦ ସୁରକ୍ଷା କରିବାକୁ ଲକ୍ଷ୍ୟ ରଖିଛନ୍ତି।
ସରକାରୀ ତୈଳ କମ୍ପାନୀମାନେ ଯେପରିକି ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ଆୟକର ବିଭାଗର ତଥ୍ୟ ଆଧାରରେ ଏମିତି ଗ୍ରାହକଙ୍କୁ ଚିହ୍ନଟ କରୁଛନ୍ତି, ଯେଉଁମାନେ ସବସିଡି ପାଇବାର ଯୋଗ୍ୟ ନୁହନ୍ତି। ଏହି ଯାଞ୍ଚ ପରେ ଯୋଗ୍ୟତାହୀନ ଗ୍ରାହକଙ୍କ ସବସିଡି ବନ୍ଦ କରାଯିବ। କମ୍ପାନୀମାନେ ଏମିତି ଗ୍ରାହକଙ୍କୁ ମେସେଜ ପଠାଇବା ଆରମ୍ଭ କରିଛନ୍ତି, ଯେଉଁଥିରେ ସେମାନଙ୍କ ଆୟ ସୀମା ସରକାର ନିର୍ଦ୍ଧାରିତ ମାପଦଣ୍ଡ ଠାରୁ ଅଧିକ ଥିବା କଥା ଉଲ୍ଲେଖ ରହିଛି।
ସରକାର ଗ୍ରାହକଙ୍କୁ ଅଭିଯୋଗ ଜଣାଇବା ପାଇଁ ୭ ଦିନ ସମୟ ମଧ୍ୟ ଦେଇଛନ୍ତି। ଯଦି କୌଣସି ଗ୍ରାହକଙ୍କୁ ଲାଗେ ଯେ ତାଙ୍କ ତଥ୍ୟରେ ଭୁଲ୍ ରହିଛି, ସେମାନେ କମ୍ପାନୀର ଟୋଲ୍-ଫ୍ରି ହେଲ୍ପଲାଇନ୍ କିମ୍ବା ଅଫିସିଆଲ ୱେବସାଇଟ୍ ମାଧ୍ୟମରେ ଅଭିଯୋଗ କରିପାରିବେ। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଅଭିଯୋଗ ନ ହୁଏ, ତେବେ ସବସିଡି ସ୍ଥାୟୀ ଭାବେ ବନ୍ଦ ହୋଇପାରେ।
ଏହି ନିଷ୍ପତ୍ତି ପଛରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟର ଅସାମାନ୍ୟ ବୃଦ୍ଧିକୁ ମୁଖ୍ୟ କାରଣ ବୋଲି ମନାଯାଉଛି। ତୈଳ ଆମଦାନୀରେ ବୃଦ୍ଧି ପାଉଥିବା ଖର୍ଚ୍ଚ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଅଧିକ ଚାପ ସୃଷ୍ଟି କରୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ନୂଆ ଗ୍ୟାସ କନେକ୍ସନ୍ ଦେବା ପ୍ରକ୍ରିୟାକୁ ମଧ୍ୟ କିଛି ପରିମାଣରେ ଧୀମା କରିଛନ୍ତି।
ତାସହିତ ଗ୍ୟାସ ସିଲିଣ୍ଡର ଦ୍ୱିତୀୟଥର ବୁକିଂ କରିବାର ସମୟ ସୀମାକୁ ବୃଦ୍ଧି କରାଯାଇଛି, ଯାହାଦ୍ୱାରା କଳାବଜାରୀକୁ ରୋକାଯାଇପାରିବ। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରଣାଳୟ ଓ ଆରବିଆଇ ଅଧିକାରୀଙ୍କ ସହ ଏନେଇ ଉଚ୍ଚସ୍ତରୀୟ ବୈଠକ ହୋଇଛି। ସରକାର ଇନ୍ଧନ ସହିତ ଅନାବଶ୍ୟକ ଆମଦାନୀ ହେଉଥିବା ସୁନା ଓ ବୈଦ୍ୟୁତିକ ସାମଗ୍ରୀ ଉପରେ ମଧ୍ୟ କଟକଣା ଲଗାଇବାକୁ ଯୋଜନା କରୁଛନ୍ତି, ଯାହାଦ୍ୱାରା ଡଲାର ସଞ୍ଚୟ କରାଯାଇପାରିବ।



