ଓଡ଼ିଶା

ଭୁବନେଶ୍ୱର ବିମାନବନ୍ଦରରେ ୪ କୋଟିର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ମଙ୍ଗଳବାର ଏକ ବଡ଼ ଡ୍ରଗ୍ସ ଚାଲାଣ ଧରାପଡ଼ିଛି। ଡାଇରେକ୍ଟରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ ଓ କଷ୍ଟମ୍ସ ବିଭାଗର ଯୁଗ୍ମ ଚଢ଼ାଉରେ ପ୍ରାୟ ୧୧ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଛି। ଜବତ ମାଦକଦ୍ରବ୍ୟର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ବ୍ୟାଙ୍କକ୍‌ରୁ ଇଣ୍ଡିଗୋ ବିମାନରେ ଭୁବନେଶ୍ୱର ଆସିଥିବା ଦୁଇଜଣ ତାମିଲ୍ ଯୁବକ ଏହି ମାଦକଦ୍ରବ୍ୟ ଚୋରାଚାଲାଣ କରୁଥିଲେ। ଗୁପ୍ତ ସୂଚନା ଆଧାରରେ  ଡାଇରେକ୍ଟରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ ଓ କଷ୍ଟମ୍ସ ଟିମ୍ ବିମାନବନ୍ଦରରେ ଯାଞ୍ଚ କରି ଦୁଇ ଅଭିଯୁକ୍ତଙ୍କୁ ଧରିଥିଲେ।

ବର୍ତ୍ତମାନ ଉଭୟଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏହି ଚୋରାଚାଲାଣ ପଛରେ କାର୍ଯ୍ୟରତ ବଡ଼ ରାକେଟ୍‌ର ସନ୍ଧାନରେ ତଦନ୍ତ ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ହାଇଡ୍ରୋପୋନିକ୍ ଗଞ୍ଜେଇ ସାଧାରଣ ଗଞ୍ଜେଇ ତୁଳନାରେ ଅଧିକ ମାଦକଶକ୍ତି ସମ୍ପନ୍ନ ଏବଂ ଉଚ୍ଚମାନର ହୋଇଥିବାରୁ ଏହାର ବଜାର ମୂଲ୍ୟ ବହୁତ ଅଧିକ ରହିଥାଏ।

Show More

Related Articles

Back to top button