
ଭୁବନେଶ୍ୱର: ରାଜଧାନୀର ସର୍ବାଧିକ ସୁରକ୍ଷିତ ଅଞ୍ଚଳ ଭାବେ ପରିଚିତ ଲୋକସେବା ଭବନରେ ଚୋରି ଘଟଣା ସାମ୍ନାକୁ ଆସିଛି। କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏଠାରୁ ଏସିର ମୂଲ୍ୟବାନ ଅଂଶ ଗାୟବ ହୋଇଥିବା ନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିଲା।
ପୋଲିସ ତଦନ୍ତ ପରେ ମନୋଜ କୁମାର ଦାସ ଓ ଚନ୍ଦନ ପଲେଇଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଲୋକସେବା ଭବନର ଅର୍ଥ ବିଭାଗ ଛାତ, ତଳ ମହଲା, ଉପସଚିବଙ୍କ କକ୍ଷ ଓ ଲାଇବ୍ରେରୀରୁ ୭ଟି ଏସି ୟୁନିଟର କମ୍ପ୍ରେସର ଏବଂ ତମ୍ବା ପାଇପ ଚୋରି ହୋଇଥିଲା।
ସନ୍ଦେହ ଆଧାରରେ ସୁରକ୍ଷା କର୍ମଚାରୀମାନେ ଦୁଇଜଣଙ୍କୁ ଅଟକ ରଖିଥିବା ବେଳେ ସେମାନଙ୍କ ପାଖରୁ କଟା ତମ୍ବା ପାଇପ ଓ ଉପକରଣ ଭରା ବ୍ୟାଗ ଜବତ ହୋଇଥିଲା। ପଚରାଉଚରାରେ ଅଭିଯୁକ୍ତମାନେ ମରାମତି କାମର ଆଡ଼ରେ ନଭେମ୍ବର ୨୦୨୫ ଠାରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଧୀରେଧୀରେ ଚୋରି କରୁଥିବା ସ୍ୱୀକାର କରିଛନ୍ତି।
ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ୧୦ ହଜାର ଟଙ୍କାରୁ ଅଧିକ ବୋଲି ଅନୁମାନ କରାଯାଇଛି। ପୋଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ସହ ଘଟଣାର ଆହୁରି ତଦନ୍ତ ଜାରି ରଖିଛି।



