Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଦିଲ୍ଲୀରେ ୧୮ତମ ବ୍ରିକ୍ସ ସମ୍ମିଳନୀ, ଯୋଗଦେବେ ବିଶ୍ୱର ପ୍ରମୁଖ ନେତା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ରେ ଶନିବାରଠାରୁ ଦୁଇଦିନିଆ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜିତ ହେବ। ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌, ଇରାନ ରାଷ୍ଟ୍ରପତି ମାସୌଦ ପେଜେଶକିଆନ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କ ସମେତ ବିଭିନ୍ନ ଦେଶର ନେତା ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତ୍ତେହ ଏଲ୍‌-ସିସି, ଉଗାଣ୍ଡା ଉପରାଷ୍ଟ୍ରପତି ଜେସିକା ଆଲୁପୋ ଏବଂ ନାଇଜେରିଆ ଉପରାଷ୍ଟ୍ରପତି କାଶିମ ଶେଟ୍ଟିମାଙ୍କ ସମେତ ଅନ୍ୟ ଅତିଥିମାନେ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି।

ବ୍ରିକ୍ସ ଗଠନର ୨୦ ବର୍ଷ ପୂର୍ତ୍ତି ଅବସରରେ ଭାରତ ଏଥର ଏହି ସମ୍ମିଳନୀର ଆୟୋଜନ କରୁଛି। ବିଶ୍ୱର ପ୍ରମୁଖ ଉଦୀୟମାନ ଅର୍ଥନୀତିଗୁଡ଼ିକୁ ନେଇ ଗଠିତ ଏହି ରାଷ୍ଟ୍ରଗୋଷ୍ଠୀର ବୈଠକକୁ ନେଇ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ବ୍ରାଜିଲ, ରୁଷିଆ, ଭାରତ ଓ ଚୀନ୍‌କୁ ନେଇ ପ୍ରଥମେ ବ୍ରିକ୍ସ ଗଠିତ ହୋଇଥିଲା। ପରେ ଦକ୍ଷିଣ ଆଫ୍ରିକା ଏଥିରେ ସାମିଲ ହୋଇଥିଲା। ୨୦୨୪ରେ ଇଜିପ୍ଟ, ଇଥିଓପିଆ, ଇରାନ, ୟୁଏଇ ଓ ସାଉଦି ଆରବକୁ ସଦସ୍ୟ ଭାବେ ସାମିଲ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଇଣ୍ଡୋନେସିଆ ମଧ୍ୟ ଏଥିରେ ଯୋଗ ଦେଇଛି।

ଏହାବ୍ୟତୀତ ବେଲାରୁଷ, ବଲିଭିଆ, କାଜାକସ୍ତାନ, କ୍ୟୁବା, ମାଲେସିଆ, ନାଇଜେରିଆ, ଥାଇଲାଣ୍ଡ, ଉଗାଣ୍ଡା, ଉଜ୍‌ବେକିସ୍ତାନ ଓ ଭିଏତନାମ ସମେତ ଅନେକ ଦେଶ ବ୍ରିକ୍ସର ସହଯୋଗୀ ଦେଶ ଭାବେ ଯୋଡ଼ି ହୋଇଛନ୍ତି। ସମ୍ମିଳନୀରେ ଆର୍ଥିକ ବିକାଶ, ବାଣିଜ୍ୟ, ବିଶ୍ୱ ଦକ୍ଷିଣର ସହଯୋଗ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ନେତାମାନେ ଆଲୋଚନା କରିବେ।

Show More

Related Articles

Back to top button