ଭୋଗରାଇରୁ ଓରାଙ୍ଗଉଟାନ ଉଦ୍ଧାର, ରହସ୍ୟ ଭେଦିବ ଏସ୍ଟିଏଫ୍
ବାଲେଶ୍ୱର: ଭୋଗରାଇରୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାକୁ ନେଇ ବଢ଼ୁଛି ରହସ୍ୟ। ଏହି ବନ୍ୟପ୍ରାଣୀ କେଉଁଠୁ ଆସିଲା, କାହା ମାଧ୍ୟମରେ ଓଡ଼ିଶାକୁ ଅଣାଯାଇଥିଲା ଏବଂ ଏହା ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହାର ଖୋଳତାଡ଼ ଆରମ୍ଭ କରିଛି ଏସ୍ଟିଏଫ୍।
ଘଟଣାକୁ ନେଇ ଗତକାଲି ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଭାର ଏସ୍ଟିଏଫ୍ ନେଇଛି। ଡିଜିପିଙ୍କ ସୂଚନା ଅନୁସାରେ, ଏଯାଏଁ ମାମଲାରେ କାହାକୁ ଗିରଫ କରାଯାଇନାହିଁ। ତେବେ ସନ୍ଦେହ ଘେରରେ ଥିବା କିଛି ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି।
ଓରାଙ୍ଗଉଟାନ ଓଡ଼ିଶାକୁ କିପରି ଆସିଲା ଏବଂ ଏହାର ମାଲିକ କିଏ, ସେନେଇ ଗୋଟିଏ ପରେ ଗୋଟିଏ କଡ଼ି ଯୋଡ଼ିବାରେ ଲାଗିଛି ଏସ୍ଟିଏଫ୍। ବନ୍ୟପ୍ରାଣୀ ସମ୍ପର୍କିତ ମାମଲାରେ ଏସ୍ଟିଏଫ୍ର ସଫଳ ତଦନ୍ତର ରେକର୍ଡ ରହିଥିବାରୁ ଏହି ଘଟଣାର ପ୍ରକୃତ ରହସ୍ୟ ମଧ୍ୟ ଉନ୍ମୋଚନ ହେବ ବୋଲି ଡିଜିପି କହିଛନ୍ତି।
ତେବେ ତଦନ୍ତ ଶେଷ ହେବାକୁ ଆହୁରି କିଛି ଦିନ ସମୟ ଲାଗିପାରେ। ଓରାଙ୍ଗଉଟାନ କେଉଁଠୁ ଆସିଥିଲା, କାହାର ଥିଲା ଏବଂ ଏହାକୁ ଓଡ଼ିଶାକୁ ଆଣିବା ପଛରେ କିଏ ଥିଲେ—ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଏସ୍ଟିଏଫ୍।


