Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର

ଦିଲ୍ଲୀରେ କୋଠା ଛାତ ଭୁଶୁଡ଼ି ୨ ମୃତ

ମୃତକଙ୍କ ମଧ୍ୟରେ ୩ ବର୍ଷର ଶିଶୁ

ନୂଆଦିଲ୍ଲୀ: ଦିଲ୍ଲୀର ଶାହଦରା ଜିଲ୍ଲା ଉଜ୍ବଳା ନଗରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଏକ ୪୦ରୁ ୫୦ ବର୍ଷ ପୁରୁଣା କୋଠାର ଛାତ ଭୁଶୁଡ଼ି ପଡ଼ିବାରୁ ୩ ବର୍ଷର ଶିଶୁଙ୍କ ସମେତ ୨ ଜଣଙ୍କ ଜୀବନ ଯାଇଛି। ଏହି ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି।

ପୋଲିସ ସୂଚନା ଅନୁସାରେ, ସକାଳ ପ୍ରାୟ ୧୦ଟା ୯ ମିନିଟ୍‌ରେ ବିବେକ ବିହାର ଥାନା ଅଞ୍ଚଳରେ କୋଠାର ଛାତ ଭୁଶୁଡ଼ି ପଡ଼ିଥିଲା। ଖବର ପାଇ ପୋଲିସ ଓ ଦମକଳ ବାହିନୀ ତୁରନ୍ତ ପହଞ୍ଚି ଭଙ୍ଗା କଂକ୍ରିଟ୍‌ ତଳେ ଫସିଥିବା ୬ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ। ସେଠାରେ ୩ ବର୍ଷୀୟ ଖୁସବୁ ଓ ୩୦ ବର୍ଷୀୟ ପିଣ୍ଟୁଙ୍କ ମୃତ୍ୟୁ ହୋଇଥିଲା।

ଆହତଙ୍କ ମଧ୍ୟରେ ୨୭ ବର୍ଷୀୟ ଦେବାଂଶ, ୩୫ ବର୍ଷୀୟ ବିକେଶ, ୨୫ ବର୍ଷୀୟ ଆକାଶ ଓ ୨୨ ବର୍ଷୀୟ ଦିଲ୍ଲୀପ ଅଛନ୍ତି। କୋଠାଟି ସୁରେନ୍ଦ୍ର ସିଂଙ୍କ ନାମରେ ଥିବାବେଳେ ମୃତାହତମାନେ ସମସ୍ତେ ଭଡ଼ାଟିଆ ବୋଲି ଜଣାପଡ଼ିଛି।

ଶାହଦରା ଡିସିପି ରାଜେନ୍ଦ୍ର ପ୍ରସାଦ ମୀଣା କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଆବଶ୍ୟକ ପଡ଼ିଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ। ଏପଟେ ନର୍ଥ ଏମସିଡି ଅଧ୍ୟକ୍ଷ ପଙ୍କଜ ଲୁଥରା କୋଠାଟି ୪୦ରୁ ୫୦ ବର୍ଷ ପୁରୁଣା ବୋଲି କହିଛନ୍ତି। ଘଟଣା ପରେ ଦିଲ୍ଲୀର ପୁରୁଣା ଓ ବିପଦସଙ୍କୁଳ କୋଠାଗୁଡ଼ିକର ସୁରକ୍ଷା ଯାଞ୍ଚ ଦାବି ପୁଣି ଜୋର ଧରିଛି।

Show More

Related Articles

Back to top button