Breaking PLUSଓଡ଼ିଶାଦେଶପାଣିପାଗମୁଖ୍ୟ ଖବର

ବାତ୍ୟା ପ୍ରଭାବ ଆଶଙ୍କା, ମାଲକାନଗିରିରେ ଦୁଇ ଦିନ ଶିକ୍ଷାନୁଷ୍ଠାନ ବନ୍ଦ

ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମାଲକାନଗିରି ଜିଲ୍ଲାରେ ନଭେମ୍ବର ୧୯ ଓ ୨୦ ତାରିଖରେ ସମସ୍ତ ସ୍କୁଲ୍‌, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଜିଲ୍ଲାପାଳ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି। ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ଏହି ଛୁଟି ଲାଗୁ ହେବ।

ବାତ୍ୟା ପ୍ରଭାବରେ ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି। ଏହାଦ୍ୱାରା ତଳିଆ ଅଞ୍ଚଳରେ ଜଳବନ୍ଦୀ ଏବଂ ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ପିଲାଙ୍କ ସୁରକ୍ଷାକୁ ଆଖିଆଗରେ ରଖି ପ୍ରଶାସନ ଏହି ପଦକ୍ଷେପ ନେଇଛି। ତେବେ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହିବେ। ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ରିଲିଫ୍‌ ଓ ଥଇଥାନ କାର୍ଯ୍ୟରେ ଲଗାଯାଇପାରିବ।

ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ମଧ୍ୟ ମୁଖ୍ୟାଳୟ ନଛାଡ଼ିବାକୁ କୁହାଯାଇଛି। ତହସିଲଦାର ଓ ବିଡିଓଙ୍କ ସମେତ କୌଣସି କର୍ମଚାରୀ ଅନୁମତି ବିନା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ।

ପାଣିପାଗ ଆକଳନ ଅନୁସାରେ, ସମ୍ଭାବ୍ୟ ବାତ୍ୟାର ବାହ୍ୟ ପ୍ରଭାବ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରକୁ ଛୁଇଁପାରେ। ଆନ୍ଧ୍ରପ୍ରଦେଶର ନେଲୋର ଓ ଟୁନି ମଧ୍ୟରେ ସ୍ଥଳଭାଗ ଛୁଇଁବା ପରେ ଏହା ଗଭୀର ଅବପାତ ଭାବେ ଓଡ଼ିଶା ଅତିକ୍ରମ କରିପାରେ।

ମାଲକାନଗିରିକୁ ୧୯ ତାରିଖ ସକାଳ ୮ଟା ୩୦ରୁ ୨୦ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୨୦ରୁ ୨୧ ତାରିଖ ମଧ୍ୟରେ ଅତି ପ୍ରବଳ ବର୍ଷା ଆଶଙ୍କାରେ ମାଲକାନଗିରି ସମେତ କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୧ରୁ ୨୨ ତାରିଖ ମଧ୍ୟରେ ମାଲକାନଗିରି ପାଇଁ ୟେଲୋ ଏବଂ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ରହିଛି।

Show More

Related Articles

Back to top button