ଆପ୍ ଛାଡିଲେ 7 ସାଂସଦ, ବିଜେପିରେ ହେବେ ସାମିଲ

ନୂଆଦିଲ୍ଲୀ, ୨୪ ଏପ୍ରିଲ – ସ୍ବାତୀ ମାଲିୱାଲ ଏବଂ ହରଭଜନ ସିଂହଙ୍କ ସମେତ ସାତ ଜଣ ଏମ୍ପି ରାଘବ ଚଢାଙ୍କ ସହ ଭାଜପାରେ ଯୋଗଦେବେ। ରାଘବ ଚଢା ଶୁକ୍ରବାର ଏହା ଘୋଷଣା କରି ଆମ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଦେଇଛନ୍ତି। ରାଘବ ଚଢାଙ୍କ ସହିତ ସ୍ବାତୀ ମାଲିୱାଲ, ଅଶୋକ ମିତ୍ତଲ, ସନ୍ଦୀପ ପାଠକ, ବିକ୍ରମ ସାହାଣୀ, ରାଜିନ୍ଦର ଗୁପ୍ତା ଏବଂ ହରଭଜନ ସିଂହ ଭାଜପାରେ ଯୋଗଦେବେ। ଏମାନେ ସମସ୍ତେ ରାଜ୍ୟ ସଭାରେ ଏଏପିର ଏମ୍ପି। ରାଜ୍ୟ ସଭାରେ ଏଏପିର ମୋଟ ୧୦ ଜଣ ଏମ୍ପି ଅଛନ୍ତି। ଏହାର ଅର୍ଥ ହେଉଛି ଆପର ଦୁଇ-ତୃତୀୟାଂଶ ରାଜ୍ୟସଭା ଏମ୍ପି ଏବେ ଭାଜପାରେ ସାମିଲ ହେବେ।
ରାଘବ ଚଡ୍ଡା କହିଛନ୍ତି, “ଆଆପାକୁ ମୁଁ ମୋର ରକ୍ତ-ଝାଳରେ ଗଢ଼ିଛି ଏବଂ ମୋର ଯୁବାବସ୍ଥାର ୧୫ ବର୍ଷ ଦେଇଛି, ଏବେ ତାହା ନିଜର ସିଦ୍ଧାନ୍ତ, ମୂଲ୍ୟବୋଧ ଏବଂ ମୂଳ ନୀତିରୁ ଭ୍ରଷ୍ଟ ହୋଇଯାଇଛି । ଏବେ ଏହି ପାର୍ଟି ଦେଶର ହିତରେ ନୁହେଁ, ବରଂ ନିଜସ୍ୱ ସ୍ୱାର୍ଥ ପାଇଁ କାମ କରୁଛି । ଗତ କିଛି ବର୍ଷ ଧରି ମୋତେ ଏହା ଅନୁଭବ ହେଉଥିଲା ଯେ, ମୁଁ ଭୁଲ ପାର୍ଟିରେ ଠିକ୍ ଲୋକ ଅଟେ । ସେଥିପାଇଁ ଆଜି ଆମେ ଏହା ଘୋଷଣା କରୁଛୁ ଯେ ମୁଁ ଆଆପାରୁ ନିଜକୁ ଅଲଗା କରୁଛି ଏବଂ ଜନତାଙ୍କ ନିକଟକୁ ଯାଉଛି ।”
ସଂସଦର ଉଚ୍ଚ ସଦନରେ ଆଆପାର ପୂର୍ବତନ ଉପନେତା ଥିବା ଚଡ୍ଡା କହିଛନ୍ତି, “ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ରାଜ୍ୟସଭାରେ ଆଆପାର ଦୁଇ-ତୃତୀୟାଂଶ ସଦସ୍ୟ ଭାରତୀୟ ସଂବିଧାନର ପ୍ରାବଧାନକୁ ଅନୁସରଣ କରି (ଏକ ପାର୍ଟି ଭାବେ) ନିଜକୁ ବିଜେପିରେ ମିଶାଇଦେବୁ ।”
ରାଘବ ଚଡ୍ଡା କହିଛନ୍ତି, “ଗତ ୧୨ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏମିତି ଅନେକ ନିଷ୍ପତି ନେଇଛି ଯାହା ପୂର୍ବରୁ ଅନେକ ନେତା ନେବାକୁ ଭୟ କରୁଥିଲେ । ଏହି ନେତୃତ୍ୱକୁ ଜନତା ଗୋଟିଏଥର ନୁହେଁ, ତିନିଥର ସମର୍ଥନ ଦେଇଛନ୍ତି । ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶ ପାଇଁ କାମ କରିବୁ ।”



