ବସୁଧା ଯୋଜନା ଫେଲ୍: ପାଣି ଟାଙ୍କି ଥିଲେ ମଧ୍ୟ ପାଣି ଅଭାବରେ ଗାଁଲୋକେ

ଗ୍ରାମାଞ୍ଚଳରେ ସୁପେୟ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ସତ୍ତ୍ୱେ ଅନେକ ସ୍ଥାନରେ ଏହାର ପ୍ରତ୍ୟକ୍ଷ ଫଳ ଲୋକମାନେ ପାଇପାରୁନାହାନ୍ତି। ସେହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ଆର-ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ ପଞ୍ଚାୟତର କୁଶପଲ୍ଲୀ ଗାଁରେ।
ଏହି ଗାଁରେ ୧୪୦ରୁ ଅଧିକ ଆଦିବାସୀ ପରିବାର ବସୋବାସ କରୁଛନ୍ତି। ଗ୍ରାମବାସୀଙ୍କ ଦୀର୍ଘଦିନର ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରାୟ ୩୩.୮୦ ଲକ୍ଷ ଟଙ୍କା ବ୍ୟୟରେ ବସୁଧା ଯୋଜନା ଅଧୀନରେ ୩୦,୦୦୦ ଲିଟର କ୍ଷମତା ବିଶିଷ୍ଟ ଏକ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। କିନ୍ତୁ ଯୋଜନାର କାର୍ଯ୍ୟାନ୍ୱୟନରେ ଅବ୍ୟବସ୍ଥା ଓ ଅଦାସୀନତା ଫଳରେ ଏହାର ସଠିକ ଲାଭ ଗ୍ରାମବାସୀ ପାଇପାରୁନାହାନ୍ତି।
ଟାଙ୍କି ସହ କେବଳ ଗୋଟିଏ ବୋରିଂ ଥିବାରୁ ପ୍ରୟାପ୍ତ ପାଣି ଯୋଗାଣ ହେଉନାହିଁ। ବୋରିଂରୁ ଆସୁଥିବା ପାଣିରେ ଟାଙ୍କି ପୂରା ଭରିପାରୁନଥିବା ସହ କେବେ କେବେ ବୋରିଂ ଶୁଖିଯାଉଛି। ଏହା ନେଇ ଗ୍ରାମବାସୀ ଅଭିଯୋଗ କରିବା ପରେ ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରକଳ୍ପ ନିକଟରେ ଆଉ ଗୋଟିଏ ବୋରିଂ ଖୋଳାଯାଇଥିଲା।

କିନ୍ତୁ ଦୁଃଖଦ ବିଷୟ, ବୋରିଂ ଖୋଳାଯାଇ ପ୍ରାୟ ଦେଢ଼ ବର୍ଷ ହେବା ସତ୍ତ୍ୱେ ଏଯାଏ ପର୍ଯ୍ୟନ୍ତ ସେଠାରେ ପାଇପ ଓ ମୋଟର ସଂଯୋଗ କରାଯାଇନାହିଁ। ଫଳରେ ଗୋଟିଏ ବୋରିଂରେ ନିର୍ଭର କରି ପାଣି ଯୋଗାଣ ହେଉଥିବାରୁ ଗାଁରେ ପାନୀୟ ଜଳ ଅଭାବ ଗଭୀର ହୋଇପଡ଼ିଛି।
ପାଣି ଅଭାବରେ ବିପଦଗ୍ରସ୍ତ ଗ୍ରାମବାସୀ ଅନ୍ୟ କିଛି ନଳକୂପର କଳଙ୍କିତ ଓ ଅଶୁଦ୍ଧ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଏହାର ପରିଣାମରେ ଗ୍ରାମରେ ବିଭିନ୍ନ ଜଳଜନିତ ରୋଗ ପ୍ରକୋପ ବଢ଼ୁଥିବା ଅଭିଯୋଗ ଆସୁଛି।
ଗ୍ରାମବାସୀମାନେ ବାରମ୍ବାର ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ। ଏନେଇ ମହେନ୍ଦ୍ରଗଡ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ମଣ୍ଡଳ କହିଛନ୍ତି ଯେ, ପ୍ରକଳ୍ପଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଦ୍ୱାରା କରାଯାଇଥିବାରୁ ସେ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ।
ଅନ୍ୟପଟେ, ଆର୍-ଉଦୟଗିରି ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ କଲ୍ୟାଣୀ ପ୍ରଧାନ କହିଛନ୍ତି ଯେ, ବୋରିଂଟି ପୂର୍ବତନ ଅଧିକାରୀଙ୍କ ସମୟରେ ହୋଇଥିଲା। ବିଷୟଟି ତଦନ୍ତ କରି ଶୀଘ୍ର ପାଇପ ଓ ମୋଟର ସଂଯୋଗ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ତଥାପି, କେବେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ ଓ ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ସମାଧାନ ହେବ—ସେଥିପାଇଁ ସମସ୍ତଙ୍କ ଅପେକ୍ଷା ଜାରି ରହିଛି।



