ରାଜ୍ୟର ମାତ୍ର ୬ ଜିଲ୍ଲାରେ ହୋଇଛି ସ୍ୱାଭାବିକ ବର୍ଷା । ଅନ୍ୟ ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି, କୋରାପୁଟ, ନୂଆପଡ଼ା, କଟକ, ଖୋର୍ଦ୍ଧା ଓ ଜଗତସିଂହପୁରରେ ସ୍ୱାଭାବିକ ବର୍ଷା ହୋଇଛି । ଗତ ଜୁନ୍ ୧ ତାରିଖରୁ ଅଗଷ୍ଟ ୨୯ ସୁଦ୍ଧା ରାଜ୍ୟରେ ମୋଟ ୬୪୧.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକଠୁ ୨୯% କମ୍ ।ଯାଜପୁର ଜିଲ୍ଲାରେ ସବୁଠୁ କମ୍ ୫୭% ନିଅଣ୍ଟିଆ ବର୍ଷା ହୋଇଛି । ଭଦ୍ରକରେ ୪୯%, ବଲାଙ୍ଗୀରରେ ୪୫%, ଅନୁଗୁଳରେ ୪୦%, କେନ୍ଦୁଝର, କଳାହାଣ୍ଡି, ସମ୍ବଲପୁର ଓ ଝାରସୁଗୁଡ଼ାରେ ୩୮%, ବୌଦ୍ଧରେ ୩୭%, ଗଜପତି ଓ କନ୍ଧମାଳରେ ୩୬%, ଦେଓଗଡ଼ରେ ୩୪%, ସୋନପୁରରେ ୩୩%, ନବରଙ୍ଗପୁରରେ ୩୨%, ଢେଙ୍କାନାଳରେ ୨୬%, ମୟୂରଭଞ୍ଜ ଓ ରାୟଗଡ଼ାରେ ୨୬%, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଗଞ୍ଜାମରେ ୨୫%, ନୟାଗଡ଼ରେ ୨୩%, ବାଲେଶ୍ୱରରେ ୨୨% ଓ ପୁରୀରେ ୨୦% ନିଅଣ୍ଟିଆ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଚଳିତ ମାସ ୧୯ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ୨୮.୯ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକଠୁ ୬୩% ନିଅଣ୍ଟିଆ ବୋଲି କେନ୍ଦ୍ର ସୂଚନା ଦେଇଛି ।
ଅପରପକ୍ଷରେ ଦୁଇଦିନ ରାଜ୍ୟରେ କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସୋମବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ।ସୋମବାର, ମଙ୍ଗଳବାର ରାଜ୍ୟରେ କାଁ ଭାଁ ବର୍ଷା ହେବ ବୋଲି ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି । ରାଜ୍ୟରେ ଖରା ପାଗ ରହିବ । ସେପ୍ଟେମ୍ବର ୬ କିମ୍ବା ୭ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ମାତ୍ର ଏହା ମଧ୍ୟ ଦୁର୍ବଳ ରହିବ । ବିଶେଷ ବର୍ଷା ନାହିଁ ବୋଲି ଡ. ସାହୁ ଆକଳନ କରିଛନ୍ତି ।ଗତ ୨୪ ଘଣ୍ଟା ମଧ୍ୟରେ ଛତ୍ରପୁରରେ ୯୧ ମିଲିମିଟର ବର୍ଷା ହୋଇଥିବା ବେଳେ ଗୋପାଳପୁରରେ ୭୨, ମୁଣ୍ଡଳିରେ ୬୬, ଜଳାପୁଟରେ ୬୪, କୋରାପୁଟରେ ୬୧, ଆଠଗଡ଼ରେ ୫୨, ଦେଓଗଡ଼ରେ ୪୮, ଜୟପାଟଣାରେ ୪୨, ବାରିପଦାରେ ୩୬, ଭୁବନେଶ୍ୱର, ବାଲେଶ୍ୱର ଓ ବାଲିମୁଣ୍ଡଳିରେ ୩୫ ମିଲିମିଟର ବର୍ଷା ହୋଇଥିବା ରାଜ୍ୟ ଜଳସମ୍ପଦ ବିଭାଗ ରେକର୍ଡ କରିଛି ।