Breaking PLUSଓଡ଼ିଶାମୁଖ୍ୟ ଖବର

ଲୋକସେବା ଭବନରେ ଏନଡିଏମଏ ଏବଂ ଓଏସଡିଏମଏର ମିଳିତ ସାମ୍ବାଦିକ ସମ୍ମିଳନୀ

ପୁରୀରେ ସଫଳତାର ସହ ଅନୁଷ୍ଠିତ ହେଲା ବ୍ରିକ୍ସ୍ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟ ଗୋଷ୍ଠୀର ଦ୍ୱିତୀୟ ବୈଠକ

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ୍ ସମୁଦାୟର ସ୍ଵୀକୃତି

ଭୁବନେଶ୍ୱର, ୦୬ ଜୁନ୍ –   ଭାରତର ବ୍ରିକ୍ସ୍-୨୦୨୬ ଅଧ୍ୟକ୍ଷତା ଅଧୀନରେ ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ପକ୍ଷରୁ ଓଡ଼ିଶାର ପୁରୀଠାରେ ୦୩ ରୁ ୦୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ବ୍ରିକ୍ସ୍ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟ ଗୋଷ୍ଠୀ (ଡିଆର୍‌ଆର୍‌ଜି) ବୈଠକ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଲୋକସେବା ଭବନଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ (ଓଏସଡିଏମଏ)ର ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସହ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ)ର ସଦସ୍ୟ ତଥା ବିଭାଗୀୟ ମୁଖ୍ୟ ଶ୍ରୀ କୃଷ୍ଣ ସ୍ଵରୁପ ବତ୍ସା, ଏନ୍‌ଡିଏମ୍‌ଏ ର ସଦସ୍ୟ ଡ. ଦିନେଶ କୁମାର ଅସୱାଲ୍, ଶ୍ରୀମତୀ ରୀତା ମିଶାଲ୍ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ଵତନ୍ତ୍ର ସହାୟତା ଆୟୁକ୍ତ ତଥା ଓଏସଡିଏମଏର ପରିଚାଳନା ନିର୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କମଳ ଲୋଚନ ମିଶ୍ର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ l

ସୂଚନାଯୋଗ୍ୟ ଯେ “ପ୍ରତିରୋଧ କ୍ଷମତା, ନୂତନ ଜ୍ଞାନକୌଶଳ, ପାରସ୍ପରିକ ସହଯୋଗ ତଥା ସମନ୍ଵୟ ଏବଂ ନିରନ୍ତର ଧାରଣୀୟ ବିକାଶ ପାଇଁ ନିର୍ମାଣ” ଶୀର୍ଷକ ବିଷୟବସ୍ତୁକୁ ନେଇ ଅନୁଷ୍ଠିତ ଏହି ବୈଠକରେ ବ୍ରିକ୍ସ୍‌ର ଆଠଟି ସଦସ୍ୟ ରାଷ୍ଟ୍ର—ଚୀନ୍, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ୍, ରୁଷିଆ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ବୈଠକର ଆୟୋଜନ ଓଡ଼ିଶା ପାଇଁ ତାହାର ବିଶ୍ୱପ୍ରସିଦ୍ଧ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଉପସ୍ଥାପନ କରିବାର ଏକ ସୁଯୋଗ ସୃଷ୍ଟି କରିଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ବୈଠକର ଉଦ୍‌ଘାଟନ କରିଥିବାବେଳେ ରାଜ୍ୟ ପକ୍ଷରୁ ପ୍ରାରମ୍ଭିକ ସତର୍କୀକରଣ ବ୍ୟବସ୍ଥା, ବାତ୍ୟା ପ୍ରସ୍ତୁତି, ସୁରକ୍ଷିତ ସ୍ଥାନାନ୍ତରଣ ଯୋଜନା ଏବଂ ଗୋଷ୍ଠୀଭିତ୍ତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନୁସରଣ କରାଯାଉଥିବା ସର୍ବୋତ୍ତମ ପଦ୍ଧତିଗୁଡ଼ିକ ଉପସ୍ଥାପନ କରାଯାଇଥିଲା। ବିପର୍ଯ୍ୟୟ ସମୟରେ ଜନଜୀବନ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତାକୁ ପ୍ରତିନିଧିମାନେ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ବଡ଼ ବାତ୍ୟାଗୁଡ଼ିକ ସମୟରେ ପ୍ରାୟ ଶୂନ୍ୟ ଜନହାନି ଲକ୍ଷ୍ୟ ହାସଲ କରିବାରେ ରାଜ୍ୟର ନିରନ୍ତର ପ୍ରୟାସକୁ ସ୍ୱୀକୃତି ଦେଇଥିଲେ।

ଏହି ବୈଠକ ଓଡ଼ିଶାର ଅଧିକାରୀ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ଆନ୍ତର୍ଜାତିକ ବିଶେଷଜ୍ଞମାନଙ୍କ ସହ ସିଧାସଳଖ ଆଲୋଚନା, ଜ୍ଞାନ ଆଦାନ-ପ୍ରଦାନ ଏବଂ ବିଶ୍ୱସ୍ତରୀୟ ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପ୍ରଦାନ କରିଥିଲା। ପ୍ରତିନିଧିମାନେ ସିଧାସଳଖ ରାମଚଣ୍ଡୀଠାରେ ଓଡ୍ରାଫ୍ ପକ୍ଷରୁ ପ୍ରଦର୍ଶିତ ଜଳ ଉଦ୍ଧାର ପ୍ରଦର୍ଶନୀ ମଧ୍ୟ ଦେଖିଥିଲେ, ଯାହା ରାଜ୍ୟର ପରିଚାଳନାଗତ ପ୍ରସ୍ତୁତି, ଅତ୍ୟାଧୁନିକ ଉପକରଣ ଏବଂ ବନ୍ୟା ଓ ଜଳଜନିତ ଜରୁରୀ ପରିସ୍ଥିତିରେ ପ୍ରତିରକ୍ଷା କ୍ଷମତାକୁ ପ୍ରଦର୍ଶିତ କରିଥିଲା।

ବିପର୍ଯ୍ୟୟ ପରିଚାଳନା ବ୍ୟତୀତ ଏହି କାର୍ଯ୍ୟକ୍ରମ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପର୍ଯ୍ୟଟନ ସମ୍ଭାବନାକୁ ବ୍ରିକ୍ସ୍ ରାଷ୍ଟ୍ରସମୂହର ପ୍ରତିନିଧିଙ୍କ ସାମ୍ନାରେ ଆଲୋକପାତ କରିବାର ଏକ ସୁଯୋଗ ମଧ୍ଯ ପ୍ରଦାନ କରିଥିଲା। ପ୍ରତିନିଧିମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ ଓଡ଼ିଶୀ, ଛଉ, ଯାତ୍ରା ଏବଂ ଆଦିବାସୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ ମାଧ୍ୟମରେ ରାଜ୍ୟର ସମୃଦ୍ଧ ତଥା ସମ୍ଭ୍ରାନ୍ତ ସାଂସ୍କୃତିକ ପରମ୍ପରାର ଅନୁଭୂତି ଲାଭ କରିଥିଲେ। ଅନେକ ପ୍ରତିନିଧି ଓଡ଼ିଶାର ସମୃଦ୍ଧ ଇତିହାସ, ସ୍ଥାପତ୍ୟ କଳାର ଉତ୍କର୍ଷତା ଏବଂ ସାଂସ୍କୃତିକ ବିବିଧତା ପ୍ରତି ପ୍ରଶଂସା ବ୍ୟକ୍ତ କରିଥିଲେ।

ବ୍ରିକ୍ସ୍ ଡିଆର୍‌ଆର୍‌ଜି ବୈଠକର ସଫଳ ଆୟୋଜନ ବିପର୍ଯ୍ୟୟ ପ୍ରତିରୋଧ ଏବଂ ପ୍ରସ୍ତୁତି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶାର ଆନ୍ତର୍ଜାତିକ ପରିଚିତିକୁ ଆହୁରି ସୁଦୃଢ଼ କରିଛି। ଏହା ‘ବିକଶିତ ଓଡ଼ିଶା–୨୦୩୬’ର ଦୃଷ୍ଟିକୋଣ ସହ ସମ୍ପୂର୍ଣ୍ଣ ଭାବେ ସମ୍ପର୍କିତ ; ଯେଉଁଥିରେ ସମସ୍ତ ବିପର୍ଯ୍ୟୟରେ ଶୂନ୍ୟ ଜନହାନି ଲକ୍ଷ୍ୟ ବଜାୟ ରଖିବା, ସୁଦୃଢ଼ ଭିତ୍ତିଭୂମି ଗଠନ, ଓଡ୍ରାଫ୍‌ର ଆଧୁନିକୀକରଣ ଏବଂ ବିଶେଷକରି ବିପର୍ଯ୍ୟୟପ୍ରବଣ ଅଞ୍ଚଳର ଅସୁରକ୍ଷିତ ଜନସମୁଦାୟଙ୍କ ଜୀବିକା ଉପରେ ବିପର୍ଯ୍ୟୟର ପ୍ରଭାବ ହ୍ରାସ କରିବାର ଲକ୍ଷ୍ୟ ରହିଛି।

ଏହି ବୈଠକ କେବଳ ଓଡ଼ିଶାକୁ ତାହାର ସଫଳତାର କାହାଣୀ ଆନ୍ତର୍ଜାତିକ ସମୁଦାୟ ସମ୍ମୁଖରେ ଉପସ୍ଥାପନ କରିବାର ସୁଯୋଗ ଦେଇନଥିଲା ; ବରଂ ଅନ୍ୟ ଦେଶଗୁଡ଼ିକର ଉଦୀୟମାନ ତଥା ବିକାଶଶୀଳ ପ୍ରଯୁକ୍ତି ଏବଂ ସର୍ବୋତ୍ତମ ପଦ୍ଧତି ବିଷୟରେ ମୂଲ୍ୟବାନ ଜ୍ଞାନ ମଧ୍ୟ ପ୍ରଦାନ କରିଥିଲା। ଏହି ଅଭିଜ୍ଞତା ଏକ ବିଶ୍ୱସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଗଠନ ଏବଂ ବିପର୍ଯ୍ୟୟ ପ୍ରତିରୋଧ କ୍ଷେତ୍ରରେ ଓଡ଼ିଶାର ବିଶ୍ୱସ୍ତରୀୟ ଆଦର୍ଶ ସ୍ଥାନକୁ ଆହୁରି ସୁଦୃଢ଼ କରିବା ପ୍ରତି ରାଜ୍ୟର ସଂକଳ୍ପକୁ ଶକ୍ତିଶାଳୀ କରିଛି।

Show More

Related Articles

Back to top button