ମନିଷ ଅନୁରାଗଙ୍କ ମୃତ୍ୟୁ ମାମଲା
କନ୍ଧମାଳ ସ୍ପେଶାଲ ସ୍କ୍ୱାର୍ଡ଼ରେ ୨ ଜଣଙ୍କ ଆତ୍ମସମର୍ପଣ
ରହସ୍ୟ ଘେରରେ ମନିଷ ଅନୁରାଗଙ୍କ ମୃତ୍ୟୁ ମାମଲା । ମନିଷଙ୍କ ସହ ଶେଷ ରାତିରେ ଥିବା ଆଉ ଦୁଇ ଜଣ ଆଜି ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ସ୍ପେଶାଲ ସ୍କ୍ୱାର୍ଡ଼ରେ ଏହି ୨ଜଣ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ଭିତରେ ଜଣେ ସାମ୍ବାଦିକ ଅଛନ୍ତି । ସେମାନଙ୍କୁ ପଚରାଉଚରା ପାଇଁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ପୋଲିସ ଟିମ୍ ଯାଇଛି । ଏହି ମାମଲାରେ ଏପର୍ଯ୍ୟନ୍ତ ତିନି ଜଣ ଅଟକ ଅଛନ୍ତି । ଶ୍ୱାସରୁଦ୍ଧ ଯୋଗୁଁ ମନିଷଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ସନ୍ଦେହ ବଢ଼ିଛି । ଏଥିସହ ରାତିି ୪ଟା ୧୧ ରୁ ୪ଟା ୧୮ ଭିତରେ ମନିଷଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମନିଷଙ୍କର କେମିତି ଶ୍ୱାସରୁଦ୍ଧ ହେଲା ? ଏଦିଗରେ ପୋଲିସ ତଦନ୍ତ କରୁଛି ।
ପାତ୍ରପଡ଼ାସ୍ଥିତ ହୋଟେଲ୍ ସାଉଥ୍ ସିଟିର ସିସି କ୍ୟାମେରା ଯାଞ୍ଚ୍ କରିବା ପରେ ପୁଲିସ ହାତରେ ଆଉ ଏକ ସୁରାକ୍ ଲାଗିଛି । ଶନିବାର ବିଳମ୍ବିତ ରାତି ପ୍ରାୟ ୩ଟା ୨୯ରେ ମନୀଷ ଏକୁଟିଆ ହୋଟେଲରୁ ବାହାରି ଏକ କାର୍ ଆଡ଼କୁ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି । ମାତ୍ର ଏହି କାର୍ରେ କିଏ କିଏ ଥିଲେ ଏବଂ କାର୍ ଭିତରେ କ’ଣ ଘଟିଲା ତାହା ସ୍ପଷ୍ଟ ହୋଇ ନାହିଁ । ପ୍ରଶ୍ନ ଉଠୁଛି, କାର୍ ଭିତରେ ଏମିତି କେଉଁ କଥାକୁ ନେଇ ବଚସା ହେଲା ଯେ ଭୋର୍ ୪ଟା ୧୧ରେ ମନୀଷ ଘର ଲୋକଙ୍କୁ ଫୋନ୍ କରି ତାଙ୍କୁ ମାର୍ପିଟ କରୁଥିବା କହିଥିଲେ? ଏହାରି ଭିତରେ ଆଉ ଜଣେ ସାଙ୍ଗ ମନୀଷଙ୍କୁ ଘରେ କିଛି ସମୟ ଭିତରେ ପହଞ୍ଚାଇଦେବା ପାଇଁ ତାଙ୍କ ବାପାଙ୍କୁ ଅଭୟ ବାଣୀ ମଧ୍ୟ ଦେଇଥିଲେ । ହେଲେ ତା’ପରେ ମନୀଷଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା, ଆଉ ତା ପରଦିନ ତାଙ୍କ ଶବ ଏହି ହୋଟେଲ୍ରୁ କିଛି ଦୂରରେ ଥିବା ନମ୍ରକାନି ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା ।