ଏବର୍ଷ ମଧ୍ୟ ବନ୍ଦ ରହିବ ଏୈତିହାସିକ ବାଲିଯାତ୍ରା
ଏବର୍ଷ ମଧ୍ୟ ବନ୍ଦ ରହିବ କଟକର ଏୈତିହାସିକ ବାଲିଯାତ୍ରା । ଏଥର ବି ଖାଲି ପଡ଼ିବ ବାଲିଯାତ୍ରା ପଡ଼ିଆ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ଜିଲ୍ଲା ପ୍ରଶାସନ । ବାଲିଯାତ୍ରା ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି ।
କଟକର ଏହି ବାଲିଯାତ୍ରା ଦର୍ଶକ ମାନଙ୍କୁ ଯେତିକି ଆକୃଷ୍ଟ କରିଥାଏ, ସେହି ସୀମିତ ସମୟ ମଧ୍ୟରେ ବି ବହୁ ଛୋଟ ବଡ଼ ବ୍ୟବସାୟୀ ଦୁଇ ପଇସା ଭଲ ରୋଜଗାର କରିଥାନ୍ତି । ହେଲେ ଏଥର ବି ସେହି ଆଶା ମଉଳିଯାଇଛି । ବାଲିଯାତ୍ରା ହେଲେ ଲକ୍ଷାଧିକ ସଂଖ୍ୟାରେ ଜନସମାଗମ ହେବ । ଫଳରେ ସଂକ୍ରମଣକୁ ରୋକିବା ଏକପ୍ରକାର ମୁସ୍କିଲ ହୋଇପଡ଼ିବ । ସହରବାସୀଙ୍କ ସ୍ୱାର୍ଥ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବର୍ଷ ବାଲିଯାତ୍ରା ବନ୍ଦ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।
ସେହିପରି ବୋଇତ ବନ୍ଦାଣ ଉତ୍ସବ ମଧ୍ୟ ହେବନାହିଁ । ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ବୋଇତ ଭସାଇବାକୁ କୌଣସି ପ୍ରକାର ଭିଡ଼ ହେବନାହିଁ । ତେବେ ବ୍ୟକ୍ତିଗତ ସ୍ତରରେ ବୋଇତ ଭସାଇ ପାରିବେ ବୋଲି ପ୍ରତିକ୍ରିୟା ରଖିଥିଲେ ଜିଲ୍ଲାପାଳ ।