Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀରେ ବିକ୍ଷୋଭ ଆଶଙ୍କା, ଅନେକ ଟ୍ରେନ୍ ବାତିଲ୍‌ ଓ ଘୁଞ୍ଚିଲା ସମୟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅକ୍ଟୋବର ୧୦ରେ ପ୍ରସ୍ତାବିତ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଏକାଧିକ ଟ୍ରେନ୍ ବାତିଲ୍‌ ଓ କିଛି ଟ୍ରେନ୍‌ର ସମୟ ପରିବର୍ତ୍ତନ କରାଯାଇଛି। ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନ୍‌ ନିକଟରେ ଯାତାୟାତ ଭିଡ଼ ବଢ଼ିବା ଆଶଙ୍କାରେ ରେଳବାଇ ଏହି ପଦକ୍ଷେପ ନେଇଛି।

ରେଳ ମନ୍ତ୍ରଣାଳୟ ଅନୁଯାୟୀ, ଅକ୍ଟୋବର ୯ ତାରିଖ ଅପରାହ୍ଣ ୨ଟା ପରେ ମୂଳ ଷ୍ଟେସନ୍‌ରୁ ଛାଡ଼ି ଅକ୍ଟୋବର ୧୦ ତାରିଖ ସକାଳ ୪ଟାରୁ ଅପରାହ୍ଣ ୨ଟା ମଧ୍ୟରେ ନୂଆଦିଲ୍ଲୀ କିମ୍ବା ହଜରତ ନିଜାମୁଦ୍ଦିନରେ ପହଞ୍ଚିବାକୁ ଥିବା ମେଲ୍‌ ଓ ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକୁ ଆରମ୍ଭ ଷ୍ଟେସନ୍‌ରୁ ବାତିଲ୍‌ କରାଯାଇଛି। ଯାତ୍ରୀଙ୍କ ଅସୁବିଧା କମାଇବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ହୋଇଛି।

ବାତିଲ୍‌ ହୋଇଥିବା ଟ୍ରେନ୍‌ ମଧ୍ୟରେ ଡା. ଆମ୍ବେଦକର ନଗର–ନୂଆଦିଲ୍ଲୀ (୨୦୧୫୫), ଇନ୍ଦୋର–ହଜରତ ନିଜାମୁଦ୍ଦିନ (୦୯୩୦୯), ଇନ୍ଦୋର–ନୂଆଦିଲ୍ଲୀ (୧୨୪୧୫), ବାନ୍ଦ୍ରା ଟର୍ମିନସ୍‌–ହଜରତ ନିଜାମୁଦ୍ଦିନ (୧୨୨୪୭) ଓ ସାବରମତୀ–ନୂଆଦିଲ୍ଲୀ (୧୨୯୫୭) ରହିଛି। ଏଥିସହ ହାୱଡ଼ା–ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ (୧୨୩୦୧) ଓ ଶିଆଲଦା–ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ (୧୨୩୧୩)କୁ ମଧ୍ୟ ବାତିଲ୍‌ କରାଯାଇଛି।

ଅନ୍ୟପକ୍ଷରେ, ମୁମ୍ବାଇ ସେଣ୍ଟ୍ରାଲ୍‌–ନୂଆଦିଲ୍ଲୀ ତେଜସ୍‌ ରାଜଧାନୀ ଏକ୍ସପ୍ରେସ୍‌ (୧୨୯୫୧) ଓ ମୁମ୍ବାଇ ସେଣ୍ଟ୍ରାଲ୍‌–ହଜରତ ନିଜାମୁଦ୍ଦିନ ଟ୍ରେନ୍‌ (୧୨୯୫୩)ର ଯାତ୍ରା ସମୟ ୫ ଘଣ୍ଟା ଘୁଞ୍ଚାଯାଇଛି।

ଏପଟେ, ପ୍ରସ୍ତାବିତ ବିକ୍ଷୋଭ ପୂର୍ବରୁ ଦିଲ୍ଲୀ ପୁଲିସ ନୂଆଦିଲ୍ଲୀ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଲାଗୁ ଥିବା ଜଣାଇଛି। ବିନା ଅନୁମତିରେ ଜନସମାବେଶ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଚେତାବନୀ ଦେଇଛି।

Show More

Related Articles

Back to top button