ୟୁକ୍ରେନ୍ ଏବଂ ଋଷ ମଧ୍ୟରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇସାରିଥିବା ବେଳେ ଏହାର ପ୍ରଭାବ ସମଗ୍ର ବିଶ୍ବ ଉପରେ ପଡିବା ଆରମ୍ଭ କରିଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ଦର ଆକାଶ ଛୁଆଁ ହେଲାଣି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସାରା ବିଶ୍ବକୁ ପ୍ରଭାବିତ କରିବା ଆରମ୍ଭ କରିଛି । କ୍ରୁଡ୍ ଅଏଲ୍ ଦର ବ୍ୟାରେଲ୍ ପିଛା ପାଖାପାଖି ୧୦୦ ଡଲାରରେ ପହଞ୍ଚିଗଲାଣି ।
ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ଲଗାତାର ଭାବେ ବୃଦ୍ଧି ପାଉଥିଲେ ସୁଦ୍ଧା ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦାମ୍ ଗତ କିଛି ମାସ ହେଲା ସ୍ଥିର ରହିଛି । ଅନ୍ୟପଟେ ଉତ୍ତର ପ୍ରଦେଶ ଓ ପଞ୍ଜାବ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ତେଲ ଦର ବୃଦ୍ଧି ପାଉନଥିବା ଚର୍ଚ୍ଚା ହେଉଛି । ୫ ରାଜ୍ୟରେ ନିର୍ବାଚନ ଶେଷ ହେବାପରେ ପୁଣି ଥରେ ତୈଳ ଦର ବୃଦ୍ଧି ପାଇବ ବୋଲି ଆଶଙ୍କାକରାଯାଉଛି ।
ସେପଟେ ଅଶୋଧିତ ତୈଳ ଏବଂ ଗ୍ୟାସ୍ ଉତ୍ପାଦନକାରୀ ଦେଶ ମଧ୍ୟରେ ପ୍ରମୁଖ ହେଉଛି ଋଷ । ଏବେ ୟୁକ୍ରେନ୍ ଏବଂ ଋଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘନଉଥିବାରୁ ଏହାର ସିଧାସଳଖ ପ୍ରଭାବ ଦରଦାମ ଉପରେ ମଧ୍ୟ ପଡିବ । ଏବେ କ୍ରୁଡ୍ ଅଏଲ୍ର ଦାମ ବ୍ୟାରେଲ୍ ପିଛା ୯୯.୩୮ ଡଲାରରେ ପହଞ୍ଚିଗଲାଣି । ତେବେ ଆଗାମୀ ଦିନଗୁଡିକରେ ତୈଳ କମ୍ପାନୀମାନେ ବ୍ୟାପକ କ୍ଷତି ସହିବେ ଏଥିରେ ସନ୍ଦେହ ନାହିଁ । କାରଣ ଗୋଟିଏ ପଟେ କ୍ରୁଡ୍ ଅଏଲ ଦର ବୃଦ୍ଧି ପାଉଥିବା ବେଳେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରାୟତ ସ୍ଥିର ରହିଛି ।
ଏହା ପୂର୍ବରୁ ୨୦୧୪ ମସିହା ଡିସେମ୍ବର ମାସରେ କ୍ରୁଡ୍ ଅଏଲ ଦାମ ବ୍ୟାରେଲ୍ ପିଛା ୯୯ ଡଲାରରେ ପହଞ୍ଚିଯାଇଥିଲା । ୟୁରୋପୀୟ ଦେଶ ମାନଙ୍କ ମଧ୍ୟରେ କେବଳ ଋଷ ହିଁ ପ୍ରାକୃତିକ ଗ୍ୟାସ୍ର ପ୍ରାୟ ଏକ ତୃତୀୟାଂଶ ଉତ୍ପାଦନ କରିଥାଏ । ଏହା ସହିତ ବିଶ୍ବର ତୈଳ ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରେ ଋଷ ପ୍ରାୟ ୧୦ ପ୍ରତିଶତ ତେଲ ଉତ୍ପାଦନ କରିଥାଏ । ଅବଶ୍ୟ ଭାରତ ଋଷରୁ ଖୁବ କମ ତେଲ ଆମଦାନୀ କରେ । ୨୦୨୧ ମସିହାରେ ଋଷ ଠାରୁ ପ୍ରତିଦିନ ମାତ୍ର ୪୩ ହଜାର ୪୦୦ବ୍ୟାରେଲ୍ ତେଲ ଆମଦାନୀ କରୁଥିଲା ଭାରତ । ଯାହାକି ଋଷର ମୋଟ ତୈଳ ଉତ୍ପାଦନର ମାତ୍ର ୧ ପ୍ରତିଶତ ।