ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବା ପାଇଁ ସେମାନଙ୍କ ସ୍ତ୍ରୀମାନଙ୍କ ସହ କଥା ହେଲେ ଉଦ୍ଧବଙ୍କ ପତ୍ନୀ ରଶ୍ମି
ମୁମ୍ବାଇ : ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଆସାମର ଗୁଆହାଟିରେ ଥିବା ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବେ ସେମାନଙ୍କ ପତ୍ନୀ। ଖବର ମୁତାବକ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସ୍ତ୍ରୀ ରଶ୍ମି ଠାକରେ ବିଦ୍ରୋହୀ ବିଧାୟକମାନଙ୍କ ସହ କଥା ହେବାକୁ ସେମାନଙ୍କ ସ୍ତ୍ରୀଙ୍କ ସହ କଥା ହୋଇ ସେମାନଙ୍କୁ ମନାଉଛନ୍ତି। ସେହିପରି ସୂଚନା ମୁତାବକ ଉଦ୍ଧବ ଠାକରେ ନିଜେ କିଛି ବିଧାୟକଙ୍କୁ ମଧ୍ୟ ମେସେଜ୍ କରିଥିବା ସୂଚନା ମିଳିଛି। ଶନିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶିବସେନାର ନେତାମାନଙ୍କ ସହ ଏକ ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଅନେକ ସଂକଳ୍ପ ପାରିତ କରିଛନ୍ତି। ଏହି ବୈଠକରେ ଅନ୍ୟ କୌଣସି ସଂଗଠନକୁ ଶିବସେନା କିମ୍ବା ଏହାର ପ୍ରତିଷ୍ଠାତା ସ୍ୱର୍ଗତ ବାଲାସାହେବଙ୍କ ନାମ ବ୍ୟବହାର କରିବାକୁ ବାରଣକରିବାକୁ ନିର୍ଵାଚନ କମିଶନଙ୍କୁ ଅପିଲ୍ କରିଥିଲେ। ଏକନାଥ ସିନ୍ଧେ ମହାରାଷ୍ଟ୍ରରେ ଆରମ୍ଭ କରିଥିବା ରାଜନୈତିକ ସଂଙ୍କଟ ଏବେ ଶିବସେନାକୁ ଭାଙ୍ଗିବା ଦିଗରେ ଅଗ୍ରସର ହେଉଛି। ତେବେ ବର୍ତ୍ତମାନ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଶିବସେନାର ୩୬ ଏବଂ କିଛି ସ୍ୱାଧିନ ବିଧାୟକଙ୍କ ସମେତ ପାଖାପାଖି ୫୦ ବିଧାୟକ ଉଦ୍ଧବ ସରକାରଙ୍କ ବିରୋଧରେ ଏକଜୁଟ୍ ହୋଇଛନ୍ତି। ଏହି କାରଣରୁ ମହାରାଷ୍ଟ୍ରରେ ଏବେ ରାଜନୈତିକ ସଙ୍କଟ ଦେଖାଯାଇଛି।