ଦକ୍ଷିଣ ଭିଏତନାମରେ ଅଗ୍ନିକାଣ୍ଡ । ବିନ୍ ଡୁଙ୍ଗର ଥୁଆନ୍ ଆନ୍ ସହରର ଏକ କରାଓକେ ବାରର ଚାରି ମହଲା କୋଠାର ଦ୍ୱିତୀୟ ଏବଂ ତୃତୀୟ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ଚେଷେଟା କରିବା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇପାରିଥିଲେ ।
ମିଳିଥିବା ସୂଚନା ଅନୁୟାୟୀ, ଅଗ୍ନିକାଣ୍ଡ ଘଟିବା ସମୟରେ ବାର୍ରେ ପାର୍ଟି ଚାଲିଥିଲା । ତେବେ ନିଆଁ ଲାଗିବା ପରେ ପ୍ରାଣ ବଞ୍ଚାଇବା ପାଇଁ କେତକ ମହିଳା କର୍ମଚାରୀ ଦୁଇ ମହଲା ଉପରୁ ଡେଇଁ ପଡ଼ିଥିଲେ । ବାରକୁ ସୁନ୍ଦର କରିବା ପାଇଁ ବା ଏହାର ଇଣ୍ଟେରିଅର୍କୁ ଡିଜାଇନ୍ କରିବା ପାଇଁ ବ୍ୟବହାର କରାଯାଇଥିବା ଫୋମ୍ ଏବଂ କାଠ ଦ୍ୱାରା ନିଆଁ ବ୍ୟାପୀ ଯାଇଥିବା କୁହାଯାଉଛି । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ବାର ଭିତରେ ଫସି ରହିଥିବା ଲୋକଙ୍କୁ ସିଡ଼ି ଏବଂ ଟ୍ରକ୍ ବ୍ୟବହାର କରି ଉଦ୍ଧାର କରିଥିଲେ।