ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ
ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ଛାତ୍ରୀ ବଡ଼ସାହି ଥାନା ଅଧିନ ସିଙ୍ଗଟିଆ ଗ୍ରାମର ନୀଳକଣ୍ଠ ପାତ୍ରଙ୍କ ଝିଅ ଅଞ୍ଜଳି। ସୂଚନା ଅନୁସାରେ ବିରେଶ୍ଵରପୁର ଆଦିବାସୀ ବାଳିକା ଛାତ୍ରୀ ନିବାସରେ ରହି ୮ମ ଶ୍ରେଣୀରେ ପାଠ ପଢ଼ୁଥିଲେ । ତେବେ ଆଜି ମଧ୍ୟାହ୍ନରେ ଖାଇବା ପରେ ହଠାତ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ଦାୟିତ୍ଵରେ ଥିବା ଅନ୍ୟ କର୍ମଚାରୀ ମାନେ ଘର ଲୋକଙ୍କୁ ଜଣାଇଥିଲେ। ଅଞ୍ଜଳିଙ୍କୁ ଗୁରୁତର ଅବସ୍ଥାରେ ଖୁଣ୍ଟା ଥାନା ଅଧିନସ୍ଥ ଡ଼ୁକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମର ଶରୀରକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲକୁ ପଠାଇ ଥିଲେ। ତେବେ ମୃତ ଛାତ୍ରୀଙ୍କ ବାପା ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରି ନଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ହଷ୍ଟେଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦୋଷାରୋପ କରିଛନ୍ତି ପରିବାର ଲୋକେ।