ମନ୍ତ୍ରୀଙ୍କ ଅନୁମୋଦନ ପରେ ଅର୍ଥ ବିଭାଗକୁ ଯିବ ବଜେଟ ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାରେ ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ଏଣିକି ସମ୍ପୃକ୍ତ ବିଭାଗର ମନ୍ତ୍ରୀଙ୍କ ଅନୁମୋଦନ ବିନା କୌଣସି ବଜେଟ ପ୍ରସ୍ତାବ ଅର୍ଥ ବିଭାଗକୁ ପଠାଯାଇପାରିବ ନାହିଁ। ଏନେଇ ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ନୂଆ ନିୟମ ଅନୁଯାୟୀ, ପ୍ରତ୍ୟେକ ବିଭାଗରେ ବଜେଟ କମିଟି ଗଠନ କରାଯିବ। ଅକ୍ଟୋବର ୨୪ରୁ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇ ନଭେମ୍ବର ୭ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ ପଡ଼ିବ। ବିଭାଗଗୁଡ଼ିକୁ ନିଜ ନିଜର ଯୋଜନାର ସମୀକ୍ଷା କରିବା ସହ ଅନାବଶ୍ୟକ ଓ ଅକାର୍ଯ୍ୟକ୍ଷମ ଯୋଜନାଗୁଡ଼ିକୁ ବନ୍ଦ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ସେହିପରି ସଫଳ ଯୋଜନା, ବିକାଶମୂଳକ କାର୍ଯ୍ୟ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବଂ ଜିଲ୍ଲା ଗସ୍ତ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ବଜେଟରେ ପ୍ରାଥମିକତା ଦେବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ କିମ୍ବା କ୍ୟାବିନେଟର ଅନୁମୋଦନ ବିନା ନୂଆ ଯୋଜନା ଆରମ୍ଭ କରାଯାଇପାରିବ ନାହିଁ।
ଅନାବଶ୍ୟକ ସ୍ମାର୍ଟଫୋନ୍, କମ୍ପ୍ୟୁଟର ଓ ଏସି କ୍ରୟ ଉପରେ ମଧ୍ୟ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ରହିଛି। ପ୍ରତ୍ୟେକ ପ୍ରସ୍ତାବରେ ମହିଳା, ଅନୁସୂଚିତ ଜାତି ଓ ଜନଜାତିଙ୍କ ସମେତ ରାଜ୍ୟର ଅର୍ଥନୀତି ଓ ବିକାଶ ଉପରେ ପଡ଼ିବାକୁ ଥିବା ପ୍ରଭାବ ସ୍ପଷ୍ଟ କରିବାକୁ ହେବ। ସରକାରଙ୍କ ଏହି ପଦକ୍ଷେପକୁ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ସ୍ୱାଗତ କରିଛନ୍ତି।



