କାମାକ୍ଷାନଗର ଛାତ୍ରୀ ଦୁଷ୍କର୍ମ-ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଥିବା ନାବାଳିକା କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାର ପୋଲିସ ପର୍ଦ୍ଦାଫାସ କରିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧର ପାତ୍ର ଓରଫ ଜଗା ସହିତ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ତାଙ୍କ ନିକଟରୁ ଗାଡ଼ି, ମୋବାଇଲ୍ ଫୋନ୍, ରକ୍ତ ଲାଗିଥିବା ପୋଷାକ ଓ ଛାତ୍ରୀଙ୍କ ବ୍ୟାଗ୍ ଜବତ କରିଛି।
ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୧୮ ତାରିଖରେ ଛାତ୍ରୀ ଜଣକ ପରୀକ୍ଷା ଦେବାକୁ ଯାଇ ଘରକୁ ଫେରିନଥିଲେ। ପରଦିନ ସାରୁଆଲି ନିକଟସ୍ଥ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଜଗା ପୂର୍ବ ପରିଚିତ ଥିବାରୁ ଛାତ୍ରୀଙ୍କୁ କାରରେ ନେଇ ନିର୍ଜନ ସ୍ଥାନରେ ଦୁଷ୍କର୍ମ କରିଥିବା ଜଣାଯାଇଛି।
ଅତ୍ୟଧିକ ରକ୍ତସ୍ରାବରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ, ଅଭିଯୁକ୍ତମାନେ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ପରେ ଘଟଣାକୁ ଲୁଚାଇବା ପାଇଁ ପୋଷାକ ଓ ଅନ୍ୟ ପ୍ରମାଣ ଫେଙ୍ଗି ଦେଇଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି।
ଏହି ମାମଲାରେ ସମ୍ବନ୍ଧିତ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।



