ଅପରାଧଓଡ଼ିଶାମୁଖ୍ୟ ଖବର

AI କ୍ୟାମେରାରେ ଧରା ପଡ଼ିଲା ଶିକାରୀ, ଶିମିଳିପାଳରେ ବନବିଭାଗର ଚଢ଼ାଉ

ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା AI କ୍ୟାମେରା ଦ୍ୱାରା ମିଳିଥିବା ଫଟୋଚିତ୍ର ଆଧାରରେ ବନବିଭାଗ ଚଢ଼ାଉ କରି ଜଣେ ଶିକାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କପ୍ତିପଦା ଥାନା ଅଧୀନ ଜେ.ଏସ. ଜାମଡିହା ଗ୍ରାମର ଦଶରଥ ସିଂ (୫୦)।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୫ ମିନିଟ ସମୟରେ ଜଙ୍ଗଲ ମଧ୍ୟରେ ସ୍ଥାପିତ AI କ୍ୟାମେରାରୁ ଏକ ଫଟୋ ଆଲର୍ଟ ବନବିଭାଗ ପାଖକୁ ପହଞ୍ଚିଥିଲା। ଏହା ପରେ ପୋଡ଼ାଡିହା ରେଞ୍ଜର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଅତର୍କିତ ଚଢ଼ାଉ କରି ଶିକାରୀକୁ କାବୁ କରିବାରେ ସଫଳ ହୋଇଥିଲେ।

ଅଭିଯୁକ୍ତଙ୍କ ଠାରୁ ଗୋଟିଏ ହାତତିଆରି ଦେଶୀ ବନ୍ଧୁକ, ୧୫୫ ଗ୍ରାମ କଳା ବିସ୍ଫୋରକ, ୨୫ ଗ୍ରାମ ଧଳା ବିସ୍ଫୋରକ, ସାଇକେଲ ବଲ, ପିନ୍ ଓ ମାଚିସ ବକ୍ସ ପରି ଶିକାର ସାମଗ୍ରୀ ଜବତ କରାଯାଇଛି।

ଏହି ଶିକାରୀ ଦଳରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି, ସେ ନେଇ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନର ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ବେଳେ, ତାଙ୍କୁ ବାରିପଦା ସ୍ଥିତ CJM କୋର୍ଟରେ ହାଜର କରାଯାଇଛି। ଏହି ଘଟଣା ଶିମିଳିପାଳରେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ AI ପ୍ରଯୁକ୍ତିର କାର୍ଯ୍ୟକାରିତାକୁ ପୁନର୍ବାର ସ୍ପଷ୍ଟ କରିଛି।

Show More

Related Articles

Back to top button