
ଶ୍ୟାମ ମେଟାଲିକ୍ସ ପ୍ଲାଣ୍ଟ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) କଡା ଆଭିମୁଖ୍ୟ ଗ୍ରହଣ କରିଛି। ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ପାଣ୍ଡଲୋଇରେ ଥିବା କମ୍ପାନୀର ଶିଳ୍ପ ଇଉନିଟ୍କୁ ସୋମବାର ସକାଳୁ ସିଲ୍ କରାଯାଇଛି।
ସୂଚନା ଅନୁସାରେ, CPCB ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସିଲିଂ କାର୍ଯ୍ୟ ସମୟରେ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ, ସମ୍ବଲପୁରର ଅଧିକାରୀମାନେ, ରେଙ୍ଗାଲି ତହସିଲଦାର, ଅତିରିକ୍ତ ଏସପି, ସଦର ଏସଡିପିଓ ସହ ବ୍ୟାପକ ପୋଲିସ ବ୍ୟବସ୍ଥା ଉପସ୍ଥିତ ଥିଲେ।
ପରିବେଶ ସୁରକ୍ଷା ଆଇନ, ୧୯୮୬ର ଧାରା ୫ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। କମ୍ପାନୀ ପକ୍ଷରୁ ବାରମ୍ବାର ପ୍ରଦୂଷଣ ନିୟମ ଉଲ୍ଲଂଘନ ହେବା ଏହାର ମୁଖ୍ୟ କାରଣ ବୋଲି ଜଣାପଡିଛି।
ଗତ ଅଗଷ୍ଟ ୨୦୨୪ରେ କୋଲକାତା ଆଞ୍ଚଳିକ ନିର୍ଦ୍ଦେଶାଳୟର ଏକ ଟିମ୍ ଯାଞ୍ଚ କରିବା ସମୟରେ ପ୍ଲାଣ୍ଟରୁ ନିର୍ଗତ ପ୍ରଦୂଷଣର ମାତ୍ରା ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥିବା ଚିହ୍ନଟ ହୋଇଥିଲା। ବିଶେଷକରି DRI-1, DRI-2 ଓ AFBC ବଏଲରରୁ ନିସ୍ସରଣ ହେଉଥିବା ଧୂଳିକଣା ଅତ୍ୟଧିକ ଥିବାରୁ ସ୍ଥାନୀୟ ଅଞ୍ଚଳରେ ପରିବେଶ ଓ ଜନସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ୁଥିଲା।
ପୂର୍ବରୁ ବୋର୍ଡ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ, ସେଥିପାଇଁ ଯଥେଷ୍ଟ ପଦକ୍ଷେପ ନ ନିଆଯାଇଥିବାରୁ ଶେଷରେ କଡା ଆକ୍ସନ୍ ନିଆଯାଇଛି।
ଏହାସହିତ, ଶ୍ୟାମ ମେଟାଲିକ୍ସ ପ୍ଲାଣ୍ଟରୁ ନିର୍ଗତ ପାଉଁଶ ଓ ଧୂଳିକଣାର ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରଦୂଷଣ ହେଉଥିବା ନେଇ ଦୀର୍ଘଦିନ ଧରି ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। CPCBର ଏହି କଡା ପଦକ୍ଷେପକୁ ସାଧାରଣ ଲୋକ ମଧ୍ୟରେ ସ୍ୱାଗତ କରାଯାଇଛି।
ଏହି କାର୍ଯ୍ୟାନୁଷ୍ଠାନ ପରେ ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣରେ କିଛି ସୁଧାର ଆସିବ ବୋଲି ଆଶା କରାଯାଉଛି।



