ମନୋରଞ୍ଜନମୁଖ୍ୟ ଖବର

ଓଡ଼ିଆ ଚଳଚିତ୍ର ‘ବୋଉ ବୁଟୁ ଭୂତ’କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର: ଓଡ଼ିଆ ଚଳଚିତ୍ର ବୋଉ ବୁଟୁ ଭୂତ ଜାତୀୟ ସ୍ତରରେ ବଡ଼ ସଫଳତା ହାସଲ କରିଛି। ମୁମ୍ବାଇରେ ଆୟୋଜିତ ପ୍ରତିଷ୍ଠିତ INCA Awards ଉତ୍ସବରେ ଏହି ଫିଲ୍ମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ କରାଯାଇଛି।

କେବଳ ଫିଲ୍ମ ନୁହେଁ, ନାୟକ ବାବୁସାନ ମହାନ୍ତି ଶ୍ରେଷ୍ଠ ଅଭିନେତା ଓ ନାୟିକା ଅର୍ଚିତା ସାହୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି। Producers Guild of India ଦ୍ୱାରା ଆୟୋଜିତ ଏହି ଉତ୍ସବରେ ବଲିଉଡ ଓ ଦକ୍ଷିଣ ଭାରତୀୟ ସିନେମାର ତାରକାମାନଙ୍କ ମଧ୍ୟରେ ଓଡ଼ିଆ ଫିଲ୍ମର ଏହି ସଫଳତା ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇଛି।

ଏହି ସମୟରେ ଫିଲ୍ମର ପ୍ରଯୋଜିକା ତୃପ୍ତି ଶତପଥୀ ମଞ୍ଚରେ ସମ୍ମାନ ଗ୍ରହଣ କରିବା ସମୟରେ ଭାବବିହ୍ୱଳ ହୋଇପଡ଼ିଥିଲେ। “ଏହା ମୋର ପ୍ରଥମ ଫିଲ୍ମ… ଓଡ଼ିଶାବାସୀଙ୍କ ଭଲପାଇବା ଓ ସିନେମା ପ୍ରତି ବିଶ୍ୱାସ ପାଇଁ ଏହି ସମ୍ମାନ ମିଳିଛି,” ବୋଲି ସେ କହିଥିଲେ। ମଞ୍ଚରେ କରଣ ଜୋହର ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହା ସହିତ, ‘ଅନନ୍ତା’ ଫିଲ୍ମ ପାଇଁ ନିର୍ଦେଶକ ସବ୍ୟସାଚୀ ମହାପାତ୍ର ଓ କୁମାର ସି ଦେବ ମହାପାତ୍ରଙ୍କୁ ଶ୍ରେଷ୍ଠ ଓଡ଼ିଆ ନିର୍ଦେଶକ ଭାବେ ସମ୍ମାନିତ କରାଯାଇଛି।

ପୁରସ୍କାର ଗ୍ରହଣ ସମୟରେ ବାବୁସାନ ଓ ଅର୍ଚିତା ଏହି ସଫଳତାକୁ ଓଡ଼ିଶାବାସୀଙ୍କୁ ସମର୍ପଣ କରିଥିଲେ। ମଞ୍ଚ ‘ଜୟ ଜଗନ୍ନାଥ’ ଧ୍ୱନିରେ ଗୁଞ୍ଜିଉଠିଥିବା ବେଳେ ସମଗ୍ର ଟିମ୍‌ରେ ଖୁସିର ମହଲ ଦେଖାଯାଇଥିଲା।

୨୦୨୫ ମସିହାର ସାରା ଦେଶର ଶ୍ରେଷ୍ଠ ୧୦ଟି ଚଳଚ୍ଚିତ୍ର ମଧ୍ୟରୁ ‘ବୋଉ ବୁଟୁ ଭୂତ’କୁ ଏହି ସମ୍ମାନ ମିଳିଥିବା ଓଡ଼ିଆ ସିନେମା ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରିଛି।

 

 

 

 

Show More

Related Articles

Back to top button