ବିଶ୍ୱ ଐତିହ୍ୟ ଦିବସ ଆଜି: ଐତିହ୍ୟ ସୁରକ୍ଷା ପ୍ରତି ସଚେତନତାର ଆହ୍ୱାନ

ଆଜି ବିଶ୍ୱ ଐତିହ୍ୟ ଦିବସ ଅବସରରେ ଦେଶ-ବିଦେଶରେ ଐତିହ୍ୟସ୍ଥଳୀ ସୁରକ୍ଷା ପ୍ରତି ସଚେତନତା ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପ୍ରତିବର୍ଷ ଏପ୍ରିଲ ୧୮ ତାରିଖରେ ପାଳିତ ଏହି ଦିବସର ଲକ୍ଷ୍ୟ ହେଉଛି ଐତିହାସିକ ସ୍ମାରକ ଓ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଓ ସଂରକ୍ଷଣ ପାଇଁ ସାଧାରଣ ଲୋକଙ୍କୁ ସଚେତନ କରିବା।
ଦେଶର ବିଭିନ୍ନ ଐତିହ୍ୟସ୍ଥଳୀ ଆମର ପୁରାତନ କଳା, ସଂସ୍କୃତି ଓ ଐତିହାସିକ ଗୌରବର ମୂକ ସାକ୍ଷୀ ଭାବେ ଦଣ୍ଡାୟମାନ ଅଛନ୍ତି। ଏହାଙ୍କ ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ସମାଜର ସମସ୍ତ ଶ୍ରେଣୀର ଲୋକଙ୍କ ସହଭାଗୀତା ଆବଶ୍ୟକ। ଚଳିତ ବର୍ଷର ଥିମ୍ ‘ଦ୍ୱନ୍ଦ୍ୱ ଏବଂ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ଜୀବନ୍ତ ଐତିହ୍ୟ ପାଇଁ ଜରୁରୀକାଳୀନ ପ୍ରତିକ୍ରିୟା’ ରଖାଯାଇଛି।
ଇତିହାସ ଅନୁଯାୟୀ, ୧୯୮୨ ମସିହାରେ ପ୍ରଥମେ ଟ୍ୟୁନିସିଆରେ ଏହି ଦିବସ ପାଳନ ହୋଇଥିଲା ଏବଂ ୧୯୮୩ ଠାରୁ ପ୍ରତିବର୍ଷ ଏହାକୁ ବିଧିବଦ୍ଧ ଭାବେ ପାଳନ କରାଯାଉଛି।
ବର୍ତ୍ତମାନ ଭାରତରେ ଥିବା ଅନେକ ଐତିହ୍ୟସ୍ଥଳୀର ସୁରକ୍ଷା ଦାୟିତ୍ୱ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଉପରେ ରହିଛି। ତଥାପି କେତେକ ସ୍ଥାନରେ ଅବହେଳା, ଲୁଟ୍ପାଟ୍ ଓ ବିପର୍ଯ୍ୟୟ ଯୋଗୁ ଐତିହ୍ୟର କ୍ଷୟ ଘଟୁଥିବା ଚିନ୍ତାଜନକ ଅବସ୍ଥା ଦେଖାଯାଇଛି।
ଏହି ପରିପ୍ରେକ୍ଷୀରେ ଐତିହ୍ୟ ସୁରକ୍ଷାକୁ ନିଜ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ଏହି ଦିବସରେ ସମସ୍ତଙ୍କୁ ଆହ୍ୱାନ କରାଯାଇଛି।



