ସରକାରୀ ଆଇଟିଆଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ଦେବଗଡ଼, 19 ଏପ୍ରିଲ: ସରକାରୀ ଆଇଟିଆଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଶିଶୁ ଗୃହରେ ରହୁଥିବା ଅନାଥ ନାବାଳିକାଙ୍କୁ ଯୌନ ନିର୍ଯାତନା । ପ୍ରିନ୍ସପାଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଆଇଟିଆଇ ଛାତ୍ରୀ । ମାସେ ଧରି ଯୌନ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ କରିଛନ୍ତି ।
ଛାତ୍ରୀଛାତ୍ର ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ହଷ୍ଟେଲ ଓ୍ବାର୍ଡେନ ଏହି ନାବାଳିକାଙ୍କୁ ପ୍ରିନ୍ସିପାଲ ସାରଙ୍କ ରୁମ୍କୁ ଖାଇବା ନେଇକି ପରଷିବା ପାଇଁ ବାଧ୍ୟ କରନ୍ତି। ଏପରି କି ପ୍ରିନ୍ସିପାଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ରୁମ୍ରେ ଝାଡୁପୋଛା, ଫୁଲ ତୋଳି ଆଣିଦେବା, ହାତଗୋଡ଼ ଘଷିବା ଇତ୍ୟାଦି କାମ ପାଇଁ ବାଧ୍ୟ କରନ୍ତି। ଏପରିକି ମାସିକ ଋତୁସ୍ରାବ ସମୟରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରନ୍ତି। ପିଲାର ମନ ଭୁଲାଇବା ପାଇଁ ନିଜ କାରରେ ଅଧ୍ୟକ୍ଷ ନାବାଳିକାକୁ ବିଭିନ୍ନ ସ୍ଥାନକୁ ନେଇ ଗୁପ୍ଚୁପ, ଚାଓମିନ୍ ଆଇସକ୍ରିମ ଖୁଆନ୍ତି ଓ ଦାମୀ ଉପହାର ମଧ୍ୟ ଦିଅନ୍ତି। ଗତ ଏକ ମାସ ହେଲା ଜୋର ଜବରଦସ୍ତି ନାବାଳିକା ଛାତ୍ରୀ ସହ ଅନୁଷ୍ଠାନର ପ୍ରିନ୍ସିପାଲ ଶାରୀରିକ ସମ୍ପର୍କ ରଖି ନିର୍ଯାତନା ଦେଇ ଆସୁଛନ୍ତି ବୋଲି ନାବାଳିକା ଅଭିଯୋଗ ଆଣିଛନ୍ତି।
ଜିଲା ଶିଶୁ ସୁରକ୍ଷା ଅଧିକାରୀ ମହାପାତ୍ର, ସପୋର୍ଟ ଶିଶୁ ଗୃହର ପରିଚାଳକ ଚନ୍ଦ୍ର ଶେଖର ସାହୁ ଓ କାଉନ୍ସିଲର ସୁଭଦ୍ରା ସାହୁ , ନାବାଳିକା ସହ ବାରକୋଟ ଥାନାକୁ ଯାଇ ସରକାରୀ ଆଇଟିଆଇର ପ୍ରିନ୍ସିପାଲଙ୍କ ନାମରେ ଏତଲା ଦେଇଛନ୍ତି। ବାରକୋଟ ପୋଲିସ ପକ୍ଷରୁ କେସ୍ ନଂ ୧୬୧/୨୬ରେ ବିଭିନ୍ନ ଦଫା ବିଏନ୍ଏସ ୬୪(୨)(ଏଫ୍) , ୬୪(୨)(ଏମ୍) ଓ ପୋକ୍ସୋ-୬ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି ବୋଲି ସୂଚନା ମିଳିଛି।


