ସିଜିମାଳି ମାମଲା ନେଇ ଏନସିଏସଟିରେ ଅଭିଯୋଗ, ତଦନ୍ତର ଆଶ୍ୱାସନ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାର ସିଜିମାଳିରେ ପ୍ରସ୍ତାବିତ ବକ୍ସାଇଟ୍ ଖଣି ପ୍ରକଳ୍ପକୁ କେନ୍ଦ୍ର କରି ପୁଣି ତେଜିଛି ପରିସ୍ଥିତି। ଏହି ପ୍ରସଙ୍ଗରେ ବିଜେଡି ସାଂସଦ ଡ଼ଃ ସସ୍ମିତ ପାତ୍ର ନୂଆଦିଲ୍ଲୀରେ ଜାତୀୟ ଅନୁସୂଚିତ ଜନଜାତି କମିଶନ (ଏନସିଏସଟି)ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ, ସିଜିମାଳିରେ ଖଣି ପ୍ରକଳ୍ପକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସହ ଆଦିବାସୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଏହି ଅଭିଯୋଗ ଦାଖଲ କରାଯାଇଛି। ଏନସିଏସଟି ଅଧ୍ୟକ୍ଷ ଅନ୍ତର ସିଂହ ଆର୍ଯ୍ୟ ଏହି ଆବେଦନକୁ ଗ୍ରହଣ କରି ମାମଲା ରୁଜୁ, ନୋଟିସ୍ ଜାରି କରିବା ଓ ଜବାବ ମାଗିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଆଶ୍ୱାସନ ଦେଇଛନ୍ତି।
ଏହାସହ ଏନସିଏସଟିର ଏକ ଦଳ ସିଜିମାଳି ଗସ୍ତ କରି ପରିସ୍ଥିତିର ସ୍ଥଳୀୟ ଅଧ୍ୟୟନ କରିପାରେ ବୋଲି ସୂଚନା ମିଳିଛି। ଏହି ମାମଲାରେ ଡ଼ଃ ପାତ୍ରଙ୍କୁ ଆବେଦନକାରୀ ଭାବେ ସୂଚନା ଦିଆଯିବ ଓ ଅଧ୍ୟକ୍ଷ ସ୍ୱୟଂ ଏହାର ଶୁଣାଣି କରିବେ।
ଡ଼ଃ ପାତ୍ର କହିଛନ୍ତି ଯେ, ଘଟଣାର ଗମ୍ଭୀରତା ଦୃଷ୍ଟିରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ କରାଯିବା ଆବଶ୍ୟକ। ସେ ଆହୁରି କହିଛନ୍ତି ଯେ, ଏନସିଏସଟି ଅଧ୍ୟକ୍ଷଙ୍କ ସହ ସେ ଫୋନରେ ଯୋଗାଯୋଗ କରି ସମସ୍ତ ଘଟଣା ବିଷୟରେ ଅବଗତ କରାଇଥିଲେ ଓ ଏହା ସମ୍ବନ୍ଧରେ ଇମେଲ୍ ମଧ୍ୟ ପଠାଇଥିଲେ।



