ଦେଶ ବିଦେଶମୁଖ୍ୟ ଖବର

ହର୍ମୁଜ୍ ଉତ୍ତେଜନାରେ ତୈଳ ଦର ଉର୍ଦ୍ଧ୍ୱଗାମୀ, ବିଶ୍ୱ ବଜାରରେ ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ: ସୋମବାର ଇରାନ ଓ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ତଣାତଣି ପରିପ୍ରେକ୍ଷିତରେ ଅନ୍ତର୍ଜାତୀୟ ତୈଳ ବଜାରରେ ଦର ବୃଦ୍ଧି ପାଇଥିବାବେଳେ ଏହାର ପ୍ରଭାବ ଏସିୟାର ସେୟାର ବଜାର ଉପରେ ମଧ୍ୟ ପଡ଼ିଛି।

ସୂଚନା ଅନୁଯାୟୀ, ଆମେରିକାର ବେଞ୍ଚମାର୍କ ଅଶୋଧିତ ତୈଳର ଦର ୫.୬ ପ୍ରତିଶତ ବୃଦ୍ଧି ପାଇ ପ୍ରତି ବ୍ୟାରେଲ ୮୭.୨୦ ଡଲାରକୁ ପହଞ୍ଚିଛି। ସେହିପରି, ଆନ୍ତର୍ଜାତୀୟ ମାନଦଣ୍ଡ ବ୍ରେଣ୍ଟ ଅଶୋଧିତ ତୈଳ ୫.୩ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୯୫.୧୬ ଡଲାର ହୋଇଛି।

ହର୍ମୁଜ୍ ପ୍ରଣାଳୀରେ ବୃଦ୍ଧି ପାଉଥିବା ଉତ୍ତେଜନା ଏହି ଦର ବୃଦ୍ଧିର ପ୍ରମୁଖ କାରଣ ଭାବେ ଦେଖାଯାଉଛି। ହର୍ମୁଜ୍ ପ୍ରଣାଳୀ ବିଶ୍ୱ ତୈଳ ପରିବହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜଳପଥ ହେବାରୁ, ଏଠାରେ ଯେକୌଣସି ଅସ୍ଥିରତା ତୈଳ ବଜାରକୁ ସିଧାସଳଖ ପ୍ରଭାବିତ କରେ।

ଇରାନ ପକ୍ଷରୁ ଏହି ଜଳପଥକୁ ପୁଣିଥରେ ଖୋଲିବା ନିଷ୍ପତ୍ତି ପ୍ରତ୍ୟାହାର କରାଯିବା ପରେ ତଣାତଣି ଆହୁରି ବଢ଼ିଛି ଏବଂ ପାରସ୍ୟ ଉପସାଗରର ଗୁରୁତ୍ୱପୂର୍ଣ୍ଣ ଜଳପଥ ପୁଣି ବନ୍ଦ ହୋଇଥିବା ସୂଚନା ମିଳିଛି।

ଏପରି ପରିସ୍ଥିତିରେ ଆମେରିକା ପକ୍ଷରୁ ମଧ୍ୟ କଠୋର ଭାବ ଦେଖାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନର ବନ୍ଦରଗୁଡ଼ିକ ଉପରେ ଆମେରିକୀୟ ନୌସେନାର ଅବରୋଧ ଜାରି ରହିବ।

ଏହି ଅଚଳାବସ୍ଥା ଯୋଗୁଁ ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତା ବଢ଼ିଥିବାବେଳେ ତୈଳ ଦରର ଆଗାମୀ ଦିନରେ ଆହୁରି ଉତ୍ତାଳତା ଦେଖାଯିବାର ସମ୍ଭାବନା ରହିଛି।

Show More

Related Articles

Back to top button