
ଭୁବନେଶ୍ୱର: ଗୁରୁବାର ବସିବାକୁ ଯାଉଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟର ରାଜନୀତିରେ ତାପମାତ୍ରା ବଢ଼ିଛି। ଅଧିବେଶନ ଡାକିବାକୁ ନେଇ ଶାସକ ଓ ବିରୋଧୀ ମଧ୍ୟରେ ତୀବ୍ର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।
ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ସ୍ୱତନ୍ତ୍ର ଅଧିବେଶନ ଡାକିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ରହିଛି। ସେ ଅଭିଯୋଗ କରିଛନ୍ତି ଯେ, ଅଧିବେଶନ ପାଇଁ କୌଣସି ବିଲ୍ କିମ୍ବା ସ୍ପଷ୍ଟ କାର୍ଯ୍ୟସୂଚୀ ନାହିଁ, କେବଳ ଗୋଟିଏ ଡିବେଟ୍ ପାଇଁ ଏତେ ବ୍ୟୟ କରାଯାଉଛି। ଏହାକୁ ବିଧାନସଭା ବାହାରେ ମଧ୍ୟ କରାଯାଇପାରୁଥିଲା ବୋଲି ସେ କହିଛନ୍ତି। ଏହା ସହ ସରକାର ମହିଳା ସଂରକ୍ଷଣକୁ ରାଜନୈତିକ ଦୃଷ୍ଟିରେ ଦେଖୁଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି।
ସେପଟେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବିରୋଧୀଙ୍କୁ ପାଲଟା ଆକ୍ରମଣ କରି କହିଛନ୍ତି ଯେ, ଓଡ଼ିଶାର ଲୋକମାନେ ବିରୋଧୀଙ୍କ ଅସଲ ମୁଖା ବୁଝିସାରିଛନ୍ତି। ସେ କହିଛନ୍ତି, ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ସୁଯୋଗ ଥିଲା ସତ୍ତ୍ୱେ ବିରୋଧୀମାନେ ସେଥିରେ ବାଧା ସୃଷ୍ଟି କରିଥିଲେ। ପୂର୍ବରୁ ମହିଳାଙ୍କୁ ନେଇ କେବଳ ରାଜନୀତି କରାଯାଇଥିବା ଅଭିଯୋଗ ମଧ୍ୟ ସେ ଉଠାଇଛନ୍ତି।
ଏହି ବିବାଦରେ କଂଗ୍ରେସ ବିଧାୟକ ତାରାବାହିନୀ ପତି ମଧ୍ୟ ଯୋଗ ଦେଇ ସରକାରକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ନିର୍ବାଚନକୁ ଲକ୍ଷ୍ୟ କରି ସରକାର ଏହି ପଦକ୍ଷେପ ନେଇଛନ୍ତି ଏବଂ ଏହା ଲୋକହିତକର ନୁହେଁ। ସେ ଆହୁରି କହିଛନ୍ତି, ସରକାର ଯଦି ନିନ୍ଦା ପ୍ରସ୍ତାବ ଆଣିବେ, ତେବେ ବିରୋଧୀମାନେ ମଧ୍ୟ ପାଲଟା ଭାବେ ନିନ୍ଦା ପ୍ରସ୍ତାବ ଆଣିବେ। ଏହି ପରିସ୍ଥିତିରେ ଗୁରୁବାରର ଅଧିବେଶନ ତୀବ୍ର ରାଜନୈତିକ ତର୍କବିତର୍କରେ ଗରମ ହେବା ନିଶ୍ଚିତ ବୋଲି ରାଜନୈତିକ ମହଳରେ ଆଲୋଚନା ଚାଲିଛି।



