ଅପରାଧମୁଖ୍ୟ ଖବର

ସୁଧୀର ପାତ୍ର ପୋଷ୍ଟମର୍ଟମ ରିପୋର୍ଟରେ ନିର୍ମମ ହତ୍ୟାର ସତ୍ୟ ପ୍ରକାଶ

ହତ୍ୟାକାଣ୍ଡରେ ଚମକଦାର ଖୁଲାସା

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଏକ ଚମକଦାର ଖୁଲାସା ସାମ୍ନାକୁ ଆସିଛି। ମୃତ୍ୟୁକୁ ନେଇ ଥିବା ସନ୍ଦେହ ଉପରୁ ପରଦା ହଟାଇଛି ପୋଷ୍ଟମର୍ଟମ ରିପୋର୍ଟ, ଯାହାରୁ ଘଟଣାର ନିର୍ମମ ସତ୍ୟ ପ୍ରକାଶ ପାଇଛି।

ମୃତଦେହ ବ୍ୟବଚ୍ଛେଦ କରିଥିବା ଏମକେସିଜି ମେଡିକାଲ କଲେଜର ଏଫେମିଟି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାଶ ଏହି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ସୁଧୀରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ତାଙ୍କ ଶରୀରର ବିଭିନ୍ନ ଅଂଶରେ ଆଘାତ ଚିହ୍ନ ମିଳିଥିଲା ଏବଂ ମୁଣ୍ଡ ଓ ଛାତିରେ ଭୟାବହ ମାଡ଼ ହୋଇଥିବା ଚିହ୍ନଟ ହୋଇଛି।

ମାଡ଼ର ପ୍ରଭାବ ଏତେ ଭୟାଙ୍କର ଥିଲା ଯେ ଛାତିର ହାଡ଼ ଭାଙ୍ଗିଯାଇଥିଲା। ଶ୍ୱାସରୁଦ୍ଧ ଅବସ୍ଥା ସହ ଭୟ ଓ ମାନସିକ ଆଘାତ ମିଶି ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖ ରାତିରେ ଦୁର୍ବୃତ୍ତମାନେ ସୁଧୀରଙ୍କୁ ଅପହରଣ କରି ନେଇଥିଲେ। ଟଙ୍କା ଆଦାୟ ପାଇଁ ସେମାନେ ତାଙ୍କୁ ଧମକ ଦେଇ ମାଡ଼ ମାରିଥିଲେ ଏବଂ ଘଟଣାର ଭିଡିଓ ପରିବାରକୁ ପଠାଇ ଟଙ୍କା ଦାବି କରିଥିଲେ।

କିନ୍ତୁ ପରିବାର ଲୋକେ ଟଙ୍କା ନେଇ ପହଞ୍ଚିବା ପୂର୍ବରୁ ହିଁ ଅପରାଧୀମାନେ ସୁଧୀରଙ୍କୁ ହତ୍ୟା କରି ସୋରଡ଼ା ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ନିଖୋଜ ହେବାର ସାତ ଦିନ ପରେ, ଅର୍ଥାତ ୨୨ ତାରିଖରେ ତାଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା।

ଡାକ୍ତରୀ ରିପୋର୍ଟ ପ୍ରକାଶ ପାଇବା ପରେ ଏହି ହତ୍ୟାକାଣ୍ଡର ନିର୍ମମତା ସ୍ପଷ୍ଟ ହୋଇଥିବା ବେଳେ ଘଟଣା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚଞ୍ଚଳତା ସୃଷ୍ଟି ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଦୋଷୀମାନଙ୍କୁ କଠୋର ଶାସ୍ତି ଦେବା ପାଇଁ ଦାବି ଜୋରଦାର ହେଉଛି।

Show More

Related Articles

Back to top button