
ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ଏକଦିନିଆ ସ୍ୱତନ୍ତ୍ର ଅଧିବେଶନ ଗୁରୁବାର ଆରମ୍ଭ ହେବା ସହିତ ଗୃହରେ ତିବ୍ର ହଟ୍ଟଗୋଳ ପରିସ୍ଥିତି ଦେଖାଯାଇଛି। ଆରମ୍ଭରୁ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଏକତ୍ରିତ ହୋଇ ନାରାବାଜି କରିଥିଲେ। କେନ୍ଦୁଝର ପ୍ରସଙ୍ଗ ଉଠାଇ ସରକାରକୁ ଘେରିବା ପାଇଁ ସେମାନେ ଚେଷ୍ଟା କରିଥିବାରୁ ଗୃହରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା।
ଏହି ହଟ୍ଟଗୋଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ବିଷୟରେ ଆଲୋଚନା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ସରକାର ପକ୍ଷରୁ ଏହି ବିଷୟକୁ ଗୁରୁତ୍ୱ ଦେଇ ଚର୍ଚ୍ଚା କରାଯିବାକୁ ଉଦ୍ୟମ ହେଉଥିବା ବେଳେ ବିପକ୍ଷ କଂଗ୍ରେସ ସଦସ୍ୟମାନେ ତାଙ୍କ ଦାବିରେ ଅଡ଼ି ରହିଥିଲେ।
ପରିସ୍ଥିତି ଶାନ୍ତ ନହେବାରୁ କଂଗ୍ରେସ ବିଧାୟକମାନେ ପରେ ଗୃହ ତ୍ୟାଗ କରିଥିଲେ। ସ୍ୱତନ୍ତ୍ର ଅଧିବେଶନରେ ଏପରି ହଟ୍ଟଗୋଳ ଦେଖାଯିବାରୁ ଗୃହକାର୍ଯ୍ୟରେ ବିଘ୍ନ ସୃଷ୍ଟି ହୋଇଥିଲା।
ସୂଚନାନୁଯାୟୀ, ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଭୂମିକା ଓ ଯୋଗଦାନ ଉପରେ ଚର୍ଚ୍ଚା ପାଇଁ ଏହି ଏକଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକାଯାଇଛି। ପୂର୍ବାହ୍ଣ ୧୧ଟାରୁ ଆରମ୍ଭ ହୋଇଥିବା ଗୃହକାର୍ଯ୍ୟ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବାକୁ ସମୟ ନିର୍ଦ୍ଧାରଣ ହୋଇଛି।



