ମହାନଦୀ ମାମଲା ଆଗକୁ ବଢୁଛି- ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର, 1 ମେ- ମହାନଦୀ ମାମଲା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମାମଲା ଆଗକୁ ବଢୁଥିବା ସେ କହିଛନ୍ତି ।
କାଲି ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି ପୂର୍ବରୁ ରାଜସ୍ବ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଗତ ୫ ବର୍ଷରେ ମାତ୍ର ଜଣେ ସାକ୍ଷୀଙ୍କ ସାକ୍ଷ ଗ୍ରହଣ ହୋଇଥିଲା । ଏବେ ମାମଲା ଆଗକୁ ବଢୁଛି; ପ୍ରତି ମାସରେ ୨ରୁ ୩ ଥର ଶୁଣାଣି ହେଉଛି ।
ମନ୍ତ୍ରୀ କହିଛନ୍ତି ଯେ, ଓଡିଶାରେ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି । ଛତିଶଗଡ଼ରେ ଗଠନ ହେଲା ପରେ ସ୍ଥାୟୀ ସମାଧାନ ପାଇଁ ଆଗକୁ ବଢ଼ିବୁ । ଉଭୟ ରାଜ୍ୟ ଭିତରେ କେମିତି ତଥ୍ୟ ନେଣଦେଣ ହେବ ଆଲୋଚନା ହେବ ବୋଲି ସେ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, 2027 ଜାନୁଆରୀ ୧୩ ଯାଏଁ ବୃଦ୍ଧି ହୋଇଛି ମହାନଦୀ ଟ୍ରିବ୍ୟୁନାଲର ଅବଧି । ଏପ୍ରିଲ ୧୩ରେ ସରୁଥିଲା ମହାନଦୀ ଟ୍ରିବ୍ୟୁନାଲର ଅବଧି ।
ଅଣ ମୌସୁମୀ ସମୟରେ ମହାନଦୀରେ ଓଡ଼ିଶାର ଆବଶ୍ୟକତା ଅନୁସାରେ ପାଣି ଛାଡିବାକୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଦାବି ରଖାଯାଇଛି l ଖରାଦିନେ ଛତିଶଗଡ଼ ସମ୍ପୂର୍ଣ ଭାବରେ ମହାନଦୀର ଜଳ ପ୍ରବାହକୁ ରୋକି ଦେଉଛି l କଲମା ବ୍ୟାରେଜର ସମସ୍ତ ଗେଟକୁ ବନ୍ଦ କରିଦେଉଛି l ଫଳରେ ଓଡିଶା ପଟକୁ ପାଣି ଆଦୌ ଆସୁନାହିଁ l ଫଳରେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର କମିବା ସହିତ ତଳ ମୁଣ୍ଡରେ ପିଇବା ପାଣି ଅଭାବ ସାଙ୍ଗକୁ ଜଳସେଚନରେ ସମସ୍ୟା ଦେଖା ଦେଉଛି l ମହାନଦୀରୁ ମାଛ ମାରି ବଞ୍ଚୁଥିବା ଧୀବରମାନଙ୍କ ଜୀବିକା ବି ପ୍ରଭାବିତ ହେଉଛି । ମହାନଦୀ ଉପରେ ନିର୍ଭର କରୁଥିବା ପର୍ଯ୍ୟାବରଣ ନଷ୍ଟ ହେବାରେ ଲାଗିଛି ।



