ଓଡ଼ିଶାମୁଖ୍ୟ ଖବର

ରେଡ୍‌ ଜୋନ୍ ହେଲା ଶ୍ରୀମନ୍ଦିର ସଂଲଗ୍ନ ଗଳି ରାସ୍ତା

ପୁରୀ: ଶ୍ରୀମନ୍ଦିର ଆସପାସ ଗଳିରାସ୍ତାରେ ଶ୍ରଦ୍ଧାଳୁମାନେ ଭୁଲ ଦିଗକୁ ଯାଇ ଅସୁବିଧାରେ ପଡୁଥିବା ସମସ୍ୟାକୁ ଦୂର କରିବା ପାଇଁ ପୁରୀ ପୋଲିସ ନୂତନ ପଦକ୍ଷେପ ନେଇଛି। ଗୁଗଲ୍‌ ସହ ଆଲୋଚନା କରି ଶ୍ରୀମନ୍ଦିର ସଂଲଗ୍ନ ଗଳିରାସ୍ତାଗୁଡ଼ିକୁ ‘ରେଡ୍‌ ଜୋନ୍‌’ ଭାବେ ଚିହ୍ନଟ କରାଯାଇଛି, ଯାହା ଏବେ ଗୁଗଲ୍‌ ମ୍ୟାପ୍‌ରେ ‘ନୋ-ଗୋ’ ଜୋନ୍‌ ଭାବେ ଦେଖାଯାଉଛି। ଏନେଇ ପୁରୀ ଏସ୍‌ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ଆସନ୍ତା ରଥଯାତ୍ରା ଓ ସୁନାବେଶକୁ ଲକ୍ଷ୍ୟ କରି ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ଗୁଗଲ୍‌ ମ୍ୟାପ୍‌ରେ ଯାତାୟାତ ନିଷିଦ୍ଧ ରାସ୍ତା ଏବଂ ‘ନୋ-ଭେହିକିଲ’ ଜୋନ୍‌ ସୂଚନା ଅପଡେଟ୍‌ କରାଯିବ। ଏହା ସହ ରଥଯାତ୍ରା ସମୟରେ ପାର୍କିଂ ବ୍ୟବସ୍ଥା ବୃଦ୍ଧି କରାଯିବା ସହ ସମସ୍ତ ପାର୍କିଂ ସ୍ଥଳରୁ ଯାତାୟାତ ସୁବିଧା ମିଳିବ।

ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୧୦୦ ଟ୍ରାଫିକ୍‌ ୱାର୍ଡେନ୍‌ ନିଯୁକ୍ତି ହେବାକୁ ଯାଉଛନ୍ତି। ଏହା ସହ ଆପତ୍କାଳୀନ ପରିସ୍ଥିତିରେ ଶ୍ରଦ୍ଧାଳୁଙ୍କ ଉଦ୍ଧାର ପାଇଁ ବିଶେଷ ଯୋଜନା ପ୍ରସ୍ତୁତ ହୋଇଛି।

ପ୍ରଶାସନିକ ସୂଚନା ଶୀଘ୍ର ପହଞ୍ଚାଇବାକୁ ଏଲ୍‌ଇଡି ସ୍କ୍ରିନ୍‌ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରସାରଣ କରାଯିବ। ଭିଡ଼ ନିୟନ୍ତ୍ରଣ ପାଇଁ ଆମ୍ବୁଲାନ୍ସ ମୁତୟନ ଓ ସ୍ୱତନ୍ତ୍ର ମାର୍ଗଦର୍ଶିକା ତିଆରି କରାଯାଇଛି।

ରଥଯାତ୍ରା ସମୟରେ ଟାଉନ ଥାନା, କୁମ୍ଭାରପଡ଼ା, ଗୁଣ୍ଡିଚା ମନ୍ଦିର ଓ ବାଗେଡ଼ିଆରେ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହ ଉତ୍ତରାରୁ ପୁରୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସର୍ଭିଲାନ୍ସ ବ୍ୟବସ୍ଥା ରହିବ। ୨୪ ଘଣ୍ଟା ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Show More

Related Articles

Back to top button