
ବିହାରରେ ଗୁରୁବାର ଭବ୍ୟ ଆୟୋଜନ ମଧ୍ୟରେ ମନ୍ତ୍ରିମଣ୍ଡଳର ବିସ୍ତାର କରାଯାଇଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ହୋଇଥିବା ଏହି ଶପଥ ଗ୍ରହଣ ସମାରୋହରେ ଅନେକ ବିଧାୟକ ନୂତନ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର, ଯିଏ ପ୍ରଥମଥର ପାଇଁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ଗାନ୍ଧୀ ମୈଦାନରେ ଆୟୋଜିତ ଏହି ବଡ଼ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଉପସ୍ଥିତ ଥିଲେ। ଏହା ସହ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟପାଳ ସୟଦ ଆତା ହସନୈନ ଶପଥ ଗ୍ରହଣ ପ୍ରକ୍ରିୟା ସମାପ୍ତ ପରେ କାର୍ଯ୍ୟକ୍ରମର ଆନୁଷ୍ଠାନିକ ସମାପ୍ତି ଘୋଷଣା କରିଥିଲେ।
ନୂତନ ମନ୍ତ୍ରିମଣ୍ଡଳରେ ସୁନୀଲ କୁମାର, ଶ୍ରେୟସୀ ସିଂହ, ମହମ୍ମଦ ଜମା ଖାନ, ନନ୍ଦ କିଶୋର ପ୍ରସାଦ ଓ ଇଞ୍ଜିନିୟର ଶୈଳେନ୍ଦ୍ରଙ୍କୁ ସ୍ଥାନ ମିଳିଛି। ଏହା ସହ ପ୍ରମୋଦ କୁମାର, ଶ୍ୱେତା ଗୁପ୍ତା, ମିଥିଳେଶ ତିୱାରୀ, ସଞ୍ଜୟ କୁମାର ସିଂହ ଓ ଦୀପକ ପ୍ରକାଶ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ସମାରୋହରେ ରତ୍ନେଶ ସଦା, ଶୀଲା କୁମାରୀ ମଣ୍ଡଳ, କେଦାର ପ୍ରସାଦ ଗୁପ୍ତା ଏବଂ ଲଖେନ୍ଦ୍ର ରୋଶନଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଏହା ବ୍ୟତୀତ ବିଜୟ ସିହ୍ନା, ଲେଶି ସିଂହ, ଶ୍ରବଣ କୁମାର ଓ ଦିଲୀପ ଜୟସୱାଲଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।
ନୂତନ ମନ୍ତ୍ରିମଣ୍ଡଳରେ ଅନୁଭବୀ ଓ ନୂଆ ମୁହଁଙ୍କୁ ସମାନ ଗୁରୁତ୍ୱ ଦିଆଯାଇଥିବାରୁ ବିହାରର ରାଜନୀତିରେ ଏହି ବିସ୍ତାରକୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି।


