
ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତୀୟ ସେନା ପକ୍ଷରୁ ଚାଲିଥିବା ‘ଅପରେସନ୍ ସିନ୍ଦୂର’କୁ ଆଜି ଏକବର୍ଷ ପୂରଣ ହୋଇଛି। ୨୦୨୫ ମେ’ ୬ ତାରିଖ ବିଳମ୍ବିତ ରାତିରେ ଭାରତ ଏହି ବଡ଼ ସାମରିକ ଅଭିଯାନ ଆରମ୍ଭ କରିଥିଲା। ଜାମ୍ମୁ-କାଶ୍ମୀରର ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବାକୁ ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଅଞ୍ଚଳରେ ଥିବା ପ୍ରାୟ ୯ଟି ଆତଙ୍କବାଦୀ ଶିବିର ଉପରେ ନିଖୁତ ଆକ୍ରମଣ କରିଥିଲା।
ଏହି ଅଭିଯାନ ପରେ ପାକିସ୍ତାନ ପକ୍ଷରୁ ମଧ୍ୟ ପ୍ରତିଆକ୍ରମଣ କରାଯାଇଥିଲା। ଫଳରେ ଦୁଇ ଦେଶ ମଧ୍ୟରେ ମେ’ ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ତୀବ୍ର ସାମରିକ ସଂଘର୍ଷ ଚାଲିଥିଲା। ସୀମାଞ୍ଚଳରେ ଉତ୍ତେଜନା ବଢ଼ିଥିବା ବେଳେ ଶେଷରେ ପାକିସ୍ତାନର ଅନୁରୋଧ କ୍ରମେ ଅସ୍ତ୍ରବିରତି ଘୋଷଣା ହୋଇଥିଲା। ତା’ପରେ ଏହି ଅପରେସନ୍କୁ ସ୍ଥଗିତ ରଖାଯାଇଛି।
ଭାରତୀୟ ସେନାର ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଆତଙ୍କ ଗଠନକୁ ବଡ଼ ଝଟକା ଲାଗିଥିଲା। ଶତାଧିକ ଆତଙ୍କବାଦୀ ନିହତ ହୋଇଥିବା ବେଳେ ପାକିସ୍ତାନ ସେନା ମଧ୍ୟ ବିପୁଳ କ୍ଷତି ସହିଥିଲା। ଅପରେସନ୍ ସିନ୍ଦୂରକୁ ଭାରତର ଆତଙ୍କବାଦ ବିରୋଧୀ ନୀତିର ଏକ ଦୃଢ଼ ପଦକ୍ଷେପ ଭାବେ ଦେଖାଯାଉଛି।



