ମୁଖ୍ୟ ଖବରରାଜନୀତି

ନିର୍ବାଚନରେ ଜାଲିଆତି ଅଭିଯୋଗ: ସୁପ୍ରିମକୋର୍ଟ ଯିବ ମମତା

କଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପରେ ରାଜ୍ୟର ରାଜନୀତି ଆହୁରି ତେଜ ହୋଇଯାଇଛି। ନିର୍ବାଚନରେ ଅନିୟମିତତା ଏବଂ ଜାଲିଆତି ହୋଇଥିବା ଅଭିଯୋଗ କରି ତୃଣମୂଳ କଂଗ୍ରେସ (ଟିଏମସି) ଆଇନୀ ଲଢେଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦିନରେ ସୁପ୍ରିମକୋର୍ଟରେ ଏହାକୁ ନେଇ ମାମଲା ରୁଜୁ କରାଯିବ। ଟିଏମସି ମୁଖ୍ୟ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ପ୍ରକ୍ରିୟାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି।

ମମତାଙ୍କ ଅଭିଯୋଗ ଅନୁସାରେ, ବିଜେପି ଓ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ମିଳିତ ଭାବେ ନିର୍ବାଚନରେ ଅନିୟମିତତା କରିଛନ୍ତି। ସେ କହିଛନ୍ତି ଯେ ମତଦାନ ପ୍ରକ୍ରିୟାରୁ ଆରମ୍ଭ କରି ଭୋଟ ଗଣନା ପର୍ଯ୍ୟନ୍ତ ଅନେକ ସନ୍ଦେହଜନକ ଘଟଣା ଘଟିଛି। ଲୋକତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଏହା ବିରୋଧରେ ଆଇନୀ ଲଢେଇ ଜରୁରୀ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଏହି ଲଢେଇ କେବଳ ଟିଏମସିର ନୁହେଁ, ବରଂ ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ ଏକ ବଡ଼ ଆନ୍ଦୋଳନ। ଆବଶ୍ୟକ ପଡ଼ିଲେ ସେ ନିଜର ପୂର୍ବ ଆଇନ ପେସାକୁ ଫେରି ମାମଲା ଲଢିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ମମତାଙ୍କ ଏହି ବୟାନ ପରେ ରାଜ୍ୟର ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

ଅନ୍ୟପଟେ ବିଜେପି ଟିଏମସିର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ ଲୋକମାନେ ପରିବର୍ତ୍ତନ ପାଇଁ ଭୋଟ ଦେଇଥିବାରୁ ବିଜେପି ବିଜୟୀ ହୋଇଛି। ନିର୍ବାଚନ ଆୟୋଗ ମଧ୍ୟ ନିଷ୍ପକ୍ଷ ଭାବେ ନିର୍ବାଚନ କରାଇଥିବା ଦାବି କରିଛି।

ଏପରି ସ୍ଥିତିରେ ଟିଏମସି ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବା ଘୋଷଣା କରିଥିବାରୁ ପଶ୍ଚିମବଙ୍ଗର ରାଜନୀତି ଆଗାମୀ ଦିନରେ ଆହୁରି ଉତ୍ତାପମୟ ହେବ ବୋଲି ରାଜନୀତିକ ମହଳରେ ଚର୍ଚ୍ଚା ହେଉଛି।

Show More

Related Articles

Back to top button