ବଲିଉଡ୍ ତାରକାଙ୍କ କଷ୍ଟ୍ୟୁମ୍ ଡିଜାଇନର ଏବେ ବଙ୍ଗର ଉପ-ମୁଖ୍ୟମନ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅଗ୍ନିମିତ୍ରା ପଲ୍ ଓ ନିଶିଥ ପ୍ରମାଣିକଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ହୋଇଛି। ବଙ୍ଗ ରାଜନୀତିରେ ପ୍ରଥମଥର ପାଇଁ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବେ। ଅଗ୍ନିମିତ୍ରା ପଲ୍ ରାଜ୍ୟର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ ଭାବେ ଇତିହାସ ସୃଷ୍ଟି କରିବେ।
ବର୍ତ୍ତମାନ ପଶ୍ଚିମବଙ୍ଗ ବିଜେପିର ଉପାଧ୍ୟକ୍ଷ ଥିବା ଅଗ୍ନିମିତ୍ରା ପଲ୍ ଆସାନସୋଲ ଦକ୍ଷିଣ ଆସନରୁ ବିଜୟୀ ହୋଇଛନ୍ତି। ତେବେ ତାଙ୍କ ଯାତ୍ରା ରାଜନୀତିରୁ ନୁହେଁ, ଫ୍ୟାଶନ ଜଗତରୁ ଆରମ୍ଭ ହୋଇଥିଲା।
୧୯୭୪ ମସିହାରେ ଜନ୍ମିତ ଅଗ୍ନିମିତ୍ରା ଜଣେ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର। ସେ ବଲିଉଡର ଅନେକ ଚର୍ଚ୍ଚିତ ଫିଲ୍ମ ପାଇଁ ପୋଷାକ ଡିଜାଇନ୍ କରିଛନ୍ତି। ମିଥୁନ ଚକ୍ରବର୍ତ୍ତୀ, ଶ୍ରୀଦେବୀ, ଈଶା ଦେଓଲ, କେ କେ ମେନନ୍ ଓ ସୋନାଲି କୁଲକର୍ଣ୍ଣିଙ୍କ ପରି ତାରକାଙ୍କ ପାଇଁ ସେ କାମ କରିଥିଲେ। ତାଙ୍କର ନିଜସ୍ୱ ଫ୍ୟାଶନ ବ୍ରାଣ୍ଡ “ଇଙ୍ଗା” ମଧ୍ୟ ରହିଛି।
ରାଜନୀତିରେ ସେ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ପରେ ସେ ବିଜେପି ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ ଏବଂ ମହିଳା ସୁରକ୍ଷା ଓ ଆତ୍ମରକ୍ଷା ଶିବିର ମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ। ୨୦୨୧ରେ ପ୍ରଥମଥର ପାଇଁ ବିଧାୟିକା ହୋଇଥିବା ଅଗ୍ନିମିତ୍ରା ଏବେ ବଙ୍ଗ ରାଜନୀତିର ଏକ ପ୍ରମୁଖ ମୁହଁ ଭାବେ ଉଭା ହୋଇଛନ୍ତି।



