ମୁଖ୍ୟ ଖବରରାଜନୀତି

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ; ବକ୍ସରରୁ ଶାର୍ପ ସୁଟର ସମେତ ୩ ସନ୍ଦିଗ୍ଧ ଅଟକ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡ ଘଟଣାରେ ପଶ୍ଚିମବଙ୍ଗ ଏସଟିଏଫ ବଡ଼ ସଫଳତା ପାଇଛି। ବିହାରର ବକ୍ସରରୁ କୁଖ୍ୟାତ ଶାର୍ପ ସୁଟର ବିଶାଲ ଶ୍ରୀବାସ୍ତବଙ୍କ ସମେତ ତିନିଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ମୟଙ୍କ ମିଶ୍ର ଏବଂ ଭିକି ମୌର୍ଯ୍ୟ। ଗିରଫ ପରେ ସମସ୍ତଙ୍କୁ ପଚରାଉଚରା ପାଇଁ ପଶ୍ଚିମବଙ୍ଗକୁ ନିଆଯାଇଛି।

ବକ୍ସର ଏସପି ଶୁଭମ ଆର୍ଯ୍ୟ ସୂଚନା ଦେଇଛନ୍ତି ଯେ ପଶ୍ଚିମବଙ୍ଗ ପୁଲିସର ଏକ ଟିମ୍ ବକ୍ସରରେ ଚଢାଉ କରି କିଛି ସନ୍ଦିଗ୍ଧଙ୍କୁ ଧରିଛି। ବିଶାଲ ଶ୍ରୀବାସ୍ତବଙ୍କ ବିରୋଧରେ ହତ୍ୟା, ଡକାୟତି ସମେତ ୨୨ରୁ ଅଧିକ ଅପରାଧିକ ମାମଲା ରହିଥିବା ଜଣାପଡିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କଲକାତା ନିକଟ ଏକ ଟୋଲ୍‌ ବୁଥରେ ଆକ୍ରମଣକାରୀଙ୍କ ଦ୍ୱାରା କରାଯାଇଥିବା ୟୁପିଆଇ ପେମେଣ୍ଟକୁ ଟ୍ରାକ୍ କରି ପୁଲିସ ଏହି ସନ୍ଦିଗ୍ଧଙ୍କ ନିକଟକୁ ପହଞ୍ଚିଥିଲା।

ଉଲ୍ଲେଖଯୋଗ୍ୟ ଯେ, ୬ ମେ ରାତି ପ୍ରାୟ ୧୦ଟା ସମୟରେ ଚନ୍ଦ୍ରନାଥ ରଥ ନିଜ ଘରକୁ ଫେରୁଥିବାବେଳେ ତାଙ୍କ ଏସୟୁଭି ଭିତରେ ବସିଥିବା ସମୟରେ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା। ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମରେ ତାଙ୍କ ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ଏହି ଆକ୍ରମଣ ଘଟିଥିଲା। ଆକ୍ରମଣରେ ତାଙ୍କ ଡ୍ରାଇଭର ବୁଦ୍ଧଦେବ ବେରା ଗୁରୁତର ଆହତ ହୋଇଥିବାବେଳେ ତାଙ୍କର ଚିକିତ୍ସା ଚାଲିଛି।

Show More

Related Articles

Back to top button