ବାରାଣସୀରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍ ଧକ୍କାରେ ୪ ମୃତ, ୩ ଗୁରୁତର

ଉତ୍ତରପ୍ରଦେଶ: ହାଇୱେ କଡ଼ରେ ଗାଡ଼ି ଅଟକାଇ ସେଲ୍ଫି ନେଉଥିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଟ୍ରକ୍ ଧକ୍କାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସୋମବାର ଭୋର୍ ପ୍ରାୟ ୬ଟାରେ ବାରାଣସୀ ଜିଲ୍ଲାର ମିର୍ଜାମୁରାଦ ଥାନା ଅଞ୍ଚଳ ରୂପାପୁର ନିକଟ ଜାତୀୟ ରାଜପଥ-୧୯ରେ ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ବିନ୍ଧ୍ୟାଚଳ ଧାମରେ ଦର୍ଶନ କରି ୭ ଜଣ ବନ୍ଧୁ ଏକ ସ୍କର୍ପିଓରେ ଘରକୁ ଫେରୁଥିଲେ। ପ୍ରୟାଗରାଜ-ବାରାଣସୀ ହାଇୱେର ଏକ ଓଭରବ୍ରିଜ୍ ନିକଟରେ ସେମାନେ ଗାଡ଼ି ଅଟକାଇ ରେଲିଂ ପାଖରେ ଫଟୋ ଉଠାଉଥିଲେ। ଏହି ସମୟରେ ପଛପଟୁ ଆସିଥିବା ଏକ ଦ୍ରୁତଗାମୀ ଟ୍ରକ୍ ସ୍କର୍ପିଓ ସହ ସେଠାରେ ଥିବା ଲୋକଙ୍କୁ ଧକ୍କା ଦେଇଥିଲା। ଧକ୍କାରେ ଗାଡ଼ିଟି ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁଇ ଜଣ ପ୍ରାୟ ୩୦ ଫୁଟ୍ ଉଚ୍ଚ ଓଭରବ୍ରିଜ୍ରୁ ତଳକୁ ଖସିପଡ଼ିଥିଲେ।
ଘଟଣାସ୍ଥଳରେ ଅମନ ଯାଦବ, ଗୋଲୁ ଓ ଆଲୋକ ମିଶ୍ରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି। ଚତୁର୍ଥ ମୃତକଙ୍କ ପରିଚୟ ମିଳିନାହିଁ। କହ୍ନେୟା ଯାଦବ ଓ ନିଖିଲ କୁମାରଙ୍କ ସମେତ ୩ ଜଣ ଆହତଙ୍କୁ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି।
ଖବର ପାଇ ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ କରିଥିଲେ। ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି। ପୋଲିସ ତାକୁ ଧରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଶୋକ ପ୍ରକାଶ କରିବା ସହ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।



