ଛାତି ସଂକ୍ରମଣରେ ଆଡଭାନୀ ଅସୁସ୍ଥ, ଆପୋଲୋ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଛାତିରେ ସଂକ୍ରମଣ ଯୋଗୁଁ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ପ୍ରାଥମିକ ପରୀକ୍ଷା ପରେ ୯୮ ବର୍ଷୀୟ ଆଡଭାନୀଙ୍କୁ ଫୁସଫୁସ ବିଭାଗରେ ଭର୍ତ୍ତି କରାଯାଇଛି। ବୟସ ଓ ସଂକ୍ରମଣକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ଏକ ବିଶେଷଜ୍ଞ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ଆବଶ୍ୟକୀୟ ପରୀକ୍ଷା ସହ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖାଯାଇଛି। ହସ୍ପିଟାଲର ମେଡିକାଲ ବୁଲେଟିନ୍ ଅନୁଯାୟୀ, ଏବେ ଚିନ୍ତାର କୌଣସି କାରଣ ନାହିଁ।
ବୟସଜନିତ ସମସ୍ୟା ଯୋଗୁଁ ଆଡଭାନୀ ପୂର୍ବରୁ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ଚଳିତ ବର୍ଷ ମେ’ ମାସରେ ସେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଡିସେମ୍ବର ୨୦୨୪ରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା।
୧୯୨୭ ନଭେମ୍ବର ୮ରେ କରାଚୀରେ ଜନ୍ମଗ୍ରହଣ କରିଥିବା ଆଡଭାନୀ ଭାଜପାର ଜଣେ ପ୍ରମୁଖ ନେତା। ଦଳର ସାଂଗଠନିକ ଭିତ୍ତି ମଜଭୁତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୧୯୯୦ରେ ତାଙ୍କ ନେତୃତ୍ୱରେ ହୋଇଥିବା ରାମ ରଥଯାତ୍ରା ଭାରତୀୟ ରାଜନୀତିରେ ଚର୍ଚ୍ଚିତ ହୋଇଥିଲା। ସେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ଉପପ୍ରଧାନମନ୍ତ୍ରୀ ଥିଲେ। ୨୦୨୪ରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା।



